ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ରବିବାର ଦିନ ହୋଇଥିବା ଜଣେ ଯୁବକଙ୍କ ହତ୍ୟା ଅଞ୍ଚଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି। ଏହାସହ ଅଞ୍ଚଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରରେ ପୁଣି ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ତେବେ ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

ପ୍ରଶାସନର ସୂଚନା ଅନୁସାରେ ମୁକୁନ୍ଦପ୍ରସାଦ ମୌଜା ଅନ୍ତର୍ଗତ ୨, ୨୧ ଓ ୨୨ ନମ୍ବର ୱାର୍ଡରେ ୧୬୩ ଧାରା ଲାଗୁ ହୋଇଛି। ଏହାସହ ୧ ଓ ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ଏହି ଧାରା ଲାଗୁ ହୋଇଛି। ଏହି ସବୁ ୱାର୍ଡରେ ୫ ଜଣରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରାଯାଇଛି। ସେହିପରି ଅଞ୍ଚଳରେ ଥିବା ସ୍କୁଲ କଲେଜ ସବୁ ବନ୍ଦ କରାଯାଇଛି। ଶୋଭାଯାତ୍ରା, ଧାରଣା ଉପରେ ମଧ୍ୟ ରୋକ୍ ଲଗାଇଯାଇଛି।

ରବିବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦର ଜଣେ ଯୁବକ ମହମ୍ମଦ ସାଜିଦଙ୍କୁ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ପୋଡ଼ାସାହି ଅଞ୍ଚଳର କିଛି ଯୁବକ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଥିଲା।

ସାଜିଦ୍‌ଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ମୁକୁନ୍ଦପ୍ରସାଦରେ ଅଶାନ୍ତି ଖେଳିଯାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ଛକ ଅବରୋଧ କରିଥିଲେ। ମୁକୁନ୍ଦପ୍ରସାଦର ବହୁ ଲୋକ ହାତରେ ଖଣ୍ଡା, ଭୁଜାଲି, ରଡ୍‌ ଧରି ପଡ଼ୋଶୀ ପୋଡ଼ାସାହିକୁ ପଶିଥିଲେ। ସେମାନେ ସେଠାରେ ଲୋକଙ୍କ ଘରେ ପଶି ଗାଡ଼ି, କବାଟ ଆଦି ଭଙ୍ଗାରୁଜା କରିଥିଲେ। ଅଞ୍ଚଳରେ ଅଳ୍ପ ସଂଖ୍ୟାରେ ପୋଲିସ ଥିଲେ ମଧ୍ୟ ସେମାନେ କିଛି କରି ପାରିନଥିଲେ।   

ଏହାପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ଅନେକ ବରିଷ୍ଠ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଶାନ୍ତିବଜାୟ ରଖିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

Tags: #Khordha #Murder #Riots #Law&Order #Police #MukundaPrasad

LEAVE A REPLY

Please enter your comment!
Please enter your name here