ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସୋମବାର ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେ ତାଙ୍କ ପତ୍ନୀ ସହ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ।
ଶକ୍ତିକାନ୍ତ ଦାସଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ସିଂହଦ୍ୱାରଠାରେ ଖଣ୍ଡୁଆ ପାଟ ଦେଇ ସ୍ଵାଗତ କରାଯାଇଥିଲା। ସେ ମନ୍ଦିର ଭିତର ବେଢ଼ା ପରିକ୍ରମା କରିବା ସହ ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।
ଶକ୍ତିକାନ୍ତ ଦାସ ଏହାପୂର୍ବରୁ ୨୦୨୧ ମସିହାରେ ଶ୍ରୀମନ୍ଦିରକୁ ଆସିଥିଲେ। ଏଥର ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ଏହି ଅବସରରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏବଂ ଏସପି ପିନାକ ମିଶ୍ର ଯୋଗ ଦେଇଥିଲେ। ଏହାସହ ଆରବିଆଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶ୍ରୀମନ୍ଦିର ଦର୍ଶନ କରିଥିଲେ।
Tags: #ShaktikantaDas #RBIGovernor #OdishaVisit #SriMandir #Puri