ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଓଡ଼ିଶାରେ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ। ଏବେ ରାସନ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ଚାଲିଛି। ଏନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

“ରାଜ୍ୟରେ ଏବେ ନୂଆ ରାସନ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଲୋକ ଆବେଦନ କରିଛନ୍ତି। ପୁରୁଣା ରାସନ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ପୂର୍ବରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪୪ ଲକ୍ଷ ୩୭ ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ହୋଇଛି। ନୂଆ ହିତାଧିକାରୀଙ୍କ ସହ ପୁରୁଣା ରାସନକାର୍ଡଧାରୀଙ୍କ କେୱାଇସି ଯାଞ୍ଚ କରାଯାଇ ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ ଲିଷ୍ଟ ଜାରି କରାଯିବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି। ଏହା ଦ୍ୱାରା ୩ କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା। ଯାହା ଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଥିରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି।    

Tags: #NewRationCard #E-KYC #PublicDistribution #Odisha

LEAVE A REPLY

Please enter your comment!
Please enter your name here