ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି। ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହାକୁ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୪୫୬.୩୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟବରାଦ ହୋଇଛି। ଚଳିତ ବଜେଟ ଅଧିବେଶନରେ ବିଭାଗର ଏହି ଖର୍ଚ୍ଚ ଦାବିକୁ ପାରିତ କରାଯିବ।
ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ପ୍ରଶାସନିକ କାର୍ଯ୍ୟ ବାବଦରେ ୯୧.୮୪ କୋଟି ଟଙ୍କା ଏବଂ ବିଭିନ୍ନ ଯୋଜନା ବାବଦରେ ୩୫୬.୫୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ ରଖାଯାଇଛି। ବିଭାଗର ବିଭିନ୍ନ ଯୋଜନା ଓ ସେଥିପାଇଁ ହେବାକୁ ଥିବା ଖର୍ଚ୍ଚ ଯଥାକ୍ରମେ –
- ସମନ୍ଵିତ ଖଣିଜ ଦ୍ରବ୍ୟ ଓ ପରିଚାଳନା (ଆଇଥ୍ରୀଏମଏସ) – ୬୨.୯୦ କୋଟି ଟଙ୍କା
- ଖଣିଜ ଉତ୍ତୋଳନ ଓ ନିଲାମ – ୪୫.୮୪ କୋଟି ଟଙ୍କା
- ଖଣିଜ ଗବେଷଣା – ୯୨.୭୬ କୋଟି ଟଙ୍କା
- ବିଭାଗୀୟ ଗୃହ ନିର୍ମାଣ – ୧୪୪.୮୩ କୋଟି ଟଙ୍କା
- ଦକ୍ଷତା ବିକାଶ – ୧୦ ଲକ୍ଷ ଟଙ୍କା
- ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ପ୍ରତିରୋଧ କାର୍ଯ୍ୟ – ୧୦ କୋଟି ଟଙ୍କା
- କ୍ଷୁଦ୍ର ଖଣିଜ ପରିଚାଳନା ବ୍ୟବସ୍ଥା – ୮.୦୮ କୋଟି ଟଙ୍କା
“ଓଡ଼ିଶାରେ ବର୍ତ୍ତମାନ ୩୮୫ଟି ଖଣିଜ ବ୍ଲକ ମଧ୍ୟରୁ ୨୦୫ଟି ଖଣି କାର୍ଯ୍ୟକ୍ଷମ ରହିଛି। ସେଥିରୁ ୧୦୨ଟି ଖଣିରୁ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ, ବକ୍ସାଇଟ ଆଦି ଉତ୍ପାଦିତ ହେଉଥିବାବେଳେ ୩୩ଟି ଖଣିରୁ କୋଇଲା ଉତ୍ପାଦିତ ହେଉଛି। ସେହିପରି ୭ଟି ଖଣିରୁ ରତ୍ନପଥର, ୫୬ଟି ଖଣିରୁ ସାଜସଜ୍ଜା ପଥର ଏବଂ ଅନ୍ୟ ୭ଟି ଖଣିରୁ ନିର୍ଦ୍ଧିଷ୍ଟ ଲଘୁ ଖଣିଜ ଉତ୍ତୋଳନ କରାଯାଉଛି” ,କହିଛନ୍ତି ବିଭୁତି ଭୂଷଣ ଜେନା।
ସେ ଆହୁରି ମଧ୍ୟ କହିଛନ୍ତି, “ ୨୦୨୩-୨୪ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ବାବଦକୁ ୪୬ ହଜାର ୩୯୬ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଖଣି ରାଜସ୍ୱ ବାବଦକୁ ୫୦ ହଜାର କୋଟି ଟଙ୍କା ଆଦାୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଗତ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥ ଉତ୍ସରୁ ୧୪୮୭.୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୦୦୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରହିଛି।”
ଇସ୍ପାତ ଓ ଖଣି ବିଭାଗର ସୂଚନା ଅନୁସାରେ ଲୁହା ପଥର, କ୍ରୋମଇଟ, ବକ୍ସାଇଟ ଓ ମାଙ୍ଗାନିଜର ୩୭ଟି ଖଣି ଏବେ ଓଡିଶା ଖଣି ନିଗମ (ଓଏମସି) ଅଧୀନରେ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଏମସି ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ କରିବା ସହିତ ୪୩.୫ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ଏଥିରୁ ସଂସ୍ଥା ୨୩ ହଜାର ୫୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି।
ଅନ୍ୟପଟେ ରାଜ୍ୟର ଖଣି ପଟ୍ଟାଧାରୀଙ୍କଠାରୁ କ୍ଷତିପୂରଣ ଜୋରିମାନା ବାବଦରେ ଇସି ତଥା ଏଫସି ଉଲ୍ଲଂଘନ ନିମନ୍ତେ ୧୮ ହଜାର ୧୬୯ କୋଟି ଟଙ୍କାର ଜୋରିମାନା କରଯାଇଛି। ସେଥିରୁ ବର୍ତ୍ତମାନ ଯାଏଁ ସୁଧ ସହିତ ପ୍ରାୟ ୧୬ ହଜାର ୧୦୩ କୋଟି ଟଙ୍କା ଆଦାୟ ହୋଇଛି।
Tags: #Steel&MinesDept #Expenditure #Budget #OdishaAssembly #Odisha