ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗୁରୁବାର ବର୍ଷା ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ସାମିଲ ରହିଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ଆଉ ୩ ଦିନ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଲଘୁଚାପଟି ଅଧିକ ଘନୀଭୂତ ହେଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୪୨.୯ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ଵାଭାବିକଠାରୁ ୧୨ ପ୍ରତିଶତ କମ୍ ରହିଛି। ମାଲକାନଗିରି ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
Tags: #Weather #Monsoon #LowPressure #Rainfall #MCBBSR #Odisha