ଓଡ଼ିଶାଲାଇଭ୍ ବ୍ୟୁରୋ
ବଜ୍ରପାତ ମୃତ୍ୟୁରେ ସମଗ୍ର ଦେଶରେ ସବୁଠାରୁ ଆଗରେ ରହିଛି ଓଡ଼ିଶା। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୧,୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ଵରରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ଗୁରୁବାର ଦିନ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଯଥେଷ୍ଟ ପାଣ୍ଠି ରହିଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨,୩୦୦ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ବିପର୍ଯ୍ୟୟ କ୍ଷତି ପୂରଣ ପାଇଁ ୨୦୦ କୋଟି ଟଙ୍କା ରହିଛି। ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ପ୍ରଭାସୀ ଓଡ଼ିଆଙ୍କୁ କ୍ଷତିପୂରଣ ଦେବା ଉପରେ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ଵ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ବଜ୍ରାଘାତ ଜନିତ ମୃତ୍ୟୁ ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
Tags: #Odisha #Lightening #LighteningDeath #SureshPujari #OdishaAssembly