ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପଟି ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଥିବାବେଳେ ଆଗକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆହୁରି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ବର୍ଷା ପାଇଁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ମାଥିଲିରେ ସର୍ବାଧିକ ୮୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଲଘୁଚାପଟି ଅଧିକ ଘନୀଭୂତ ହେଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ଵାଭାବିକଠାରୁ ୧୨ ପ୍ରତିଶତ କମ୍ ରହିଛି। ମାଲକାନଗିରି ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

Tags: #Weather #Monsoon #LowPressure #Rainfall #MCBBSR #Odisha

LEAVE A REPLY

Please enter your comment!
Please enter your name here