ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ୫୫ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୪୮ଟି କଲରା ପତରିଆ ବାଘ ଓ ୭ଟି ମହାବଳ ବାଘ ରହିଛନ୍ତି। ରାଜ୍ୟରେ ଏବେ ୨୭ଟି ମହାବଳ ବାଘ ଅଛନ୍ତି। ଏନେଇ ମଙ୍ଗଳବାର ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।

ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଟଙ୍କଧର ତ୍ରିପାଠୀ ଓଡ଼ିଶାରେ ଏବେ ବାଘଙ୍କ ସଂଖ୍ୟା ଓ ସେମାନଙ୍କ ସୁରକ୍ଷା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ।

“ଓଡ଼ିଶାରେ ଗତ ୧୦ ବର୍ଷରେ ୫୫ ବାଘଙ୍କ ମୃତ୍ୟୁ ହୋଇଛି। ଏଥୁରୁ ୨୫ଟି ବାଘଙ୍କୁ ଶିକାରୀଙ୍କ ଦ୍ଵାରା ହତ୍ୟା କରାଯାଇଛି। ସେହିପରି ବିଦ୍ୟୁତ ଆଘାତରେ ୪ଟି, ରେଳ ଦୁର୍ଘଟଣାରେ ୨ଟି, ସଡ଼କ ଦୁର୍ଘଟଣାରେ ୩ଟି ଓ ନଦୀ ନାଳରେ ବୁଡ଼ି ୬ଟି ବାଘ ପ୍ରାଣ ହରାଇଛନ୍ତି। ମୃତ ବାଘଙ୍କ ମଧ୍ୟରେ ୪୮ଟି କଲରା ପତରିଆ ବାଘ ଓ ୭ଟି ମହାବଳ ବାଘ ରହିଛନ୍ତି”, କହିଛନ୍ତି ଗଣେଶ ରାମସିଂ ଖୁଣ୍ଟିଆ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ଏବେ ସର୍ବମୋଟ ୨୭ଟି ମହାବଳ ବାଘ ଥିବା ଗଣନାରୁ ଜଣାପଡ଼ିଛି। ସେଥିରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି ଏବଂ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ବାଘ ରହିଛନ୍ତି।”

ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ସର୍ବାଧିକ ମହାବଳ ବାଘ ରହିଛନ୍ତି। ଏଠାରେ ଏବେ ୮ଟି ବାଘ ଶାବକ ଜନ୍ମ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

Tags: #Tiger #Similipal #Forest #Odisha

LEAVE A REPLY

Please enter your comment!
Please enter your name here