ମିନତି ମିଶ୍ର
ଲିଭି ଆସୁଥିବା ନିଆଁ ପୁଣି ଜଳିବାକୁ ଆରମ୍ଭ କରିଛି। ପୁଣି ତେଜିଛି ରେଭେନ୍ସା ବିବାଦ। ଏ ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ନିଜ ସମ୍ପାଦକୀୟ ‘ଧ୍ୱନି ପ୍ରତିଧ୍ୱନି’ ସ୍ତମ୍ଭ ମାଧ୍ୟମରେ ଭର୍ତ୍ତୃହରି ଏହି ବିବାଦକୁ ଆହୁରି ତେଜିଛନ୍ତି।
ନିକଟରେ ଭର୍ତ୍ତୃହରି ମହତାବ ଏହି ସମ୍ପାଦକୀୟରେ ‘ଇତିହାସ ଅତ୍ୟନ୍ତ କ୍ରୁର’ ଶୀର୍ଷକରେ ରେଭେନ୍ସା ନାମ ପରିବର୍ତ୍ତନ କାହିଁକି କରାଯିବା ଉଚିତ, ସେ ସମ୍ପର୍କିତ ତଥ୍ୟ ଓ ଇତିହାସକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି।
ରେଭେନ୍ସା କଲେଜର ନାମ ପରିବର୍ତ୍ତନ ଦାବି ଆଜିର ନୁହେଁ, ସ୍ୱାଧୀନତା ପରବର୍ତ୍ତୀ ସମୟରୁ ହୋଇଆସୁଛି ବୋଲି ଉଲ୍ଲେଖ କରିଛନ୍ତି ଭର୍ତ୍ତୃହରି। ତେବେ ବିଜେପି ସାଂସଦଙ୍କର ଏହି ସମ୍ପାଦକୀୟକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଏପରିକି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।
ନବୀନଙ୍କ ତେରଛା ନିଶାନା
ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଂଗକୁ ନେଇ ପରୋକ୍ଷରେ ନିଶାନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନିଜ ସୋସିଆଲ ମିଡିଆରେ ନବୀନ ଲେଖିଛନ୍ତି, “ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜ ପରିବାରର ଅବଦାନ ବିଷୟରେ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ।”
ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଚେଷ୍ଟା କରୁଛନ୍ତି। ଏହା ଆଗାମୀ ପିଢ଼ି ପାଇଁ କି ବାର୍ତ୍ତା ଦେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ।
ସେ ଆହୁରି ଲେଖିଛନ୍ତି, ଗୋଟିଏ ଅନୁଷ୍ଠାନଟିଏ ଗଢ଼ିବା ସହଜ ନୁହେଁ। ଏଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର।
ସାମୟିକ ସଫଳତାର ଉଲ୍ଲାସରେ ବିଭୋତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ହେଲେ ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ସେମାନେ ନିଜର ଅସ୍ତିତ୍ୱ ହରାଇ ବସିବେ।
“ଚାଟୁକାରିତାର ବାସ୍ନା ଆସୁଛି”
ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ କିଶୋର ଦେବ। ସେ କହିଛନ୍ତି ଏଥିରୁ “ଚାଟୁକାରିତାର ବାସ୍ନା ଆସୁଛି”। ସେ ଆହୁରି କହିଛନ୍ତି, ଭର୍ତ୍ତୃହରି ମହତାବ ଜଣେ ଅଭିଜ୍ଞ ସାଂସଦ। କଟକ ଲୋକସଭା ଆସନରୁ ସାଂସଦ ଭାବେ ୭ଥର ଜିତିଛନ୍ତି। ବିଜେଡି ଛାଡ଼ି ଏଥର ବିଜେପିରୁ ଜିତିଛନ୍ତି। ତାଙ୍କ ପରି ଜଣେ ଅଭିଜ୍ଞ ସାଂସଦଙ୍କ ପାଇଁ ଚାଟୁକାରିତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ।
ସେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାମ ପରିବର୍ତ୍ତନ ପାଇଁ ଯେଉଁ ବିତର୍କର ଆହ୍ୱାନ ଦେଇଛନ୍ତି ସେହି ବିତର୍କକୁ ବଳିଷ୍ଠ କରିବା ପାଇଁ ଭର୍ତ୍ତୃହରି ଏପରି ଇତିହାସ ସାମ୍ନକୁ ଆଣିଛନ୍ତି। ହେଲେ ଏଥିରେ ମୟୂରଭଞ୍ଜ ରାଜା ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କଲେଜର ନାମକୁ ରେଭେନ୍ସାଙ୍କ ନାମରେ କରିଥିଲେ ବୋଲି ସାଂସଦ ଯାହା ସମ୍ପାଦକୀୟରେ ଲେଖିଛନ୍ତି ସେଥିରେ ସେ ଏକମତ ନୁହଁନ୍ତି ବୋଲି ବିଜେଡି ନେତା କହିଛନ୍ତି।
“ରେଭେନ୍ସା ବ୍ୟକ୍ତି ନୁହେଁ, ଅନୁଷ୍ଠାନର ନାଁ ହୋଇସାରିଛି”
ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ଏ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରେଭେନ୍ସା କୌଣସି ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନର ନାଁ ହୋଇସାରିଛି। ତା’ର ନାମ ପରିବର୍ତ୍ତନକୁ ନେଇ ଏପରି ରାଜନୀତି କରିବା ଉଚିତ ନୁହେଁ। କାରଣ ଓଡ଼ିଶାରେ ଶିକ୍ଷା, ବାଳିକା ଶିକ୍ଷା ଇତ୍ୟାଦି ଅନେକ ଉନ୍ନୟନମୂଳକ କାମରେ ରେଭେନ୍ସାଙ୍କର ଅବଦାନ ରହିଛି। ତେଣୁ ଏପରି ତଥ୍ୟ ରଖି ଭର୍ତ୍ତୃହରି ମହତାବ ବରପୁତ୍ରମାନଙ୍କର ନିନ୍ଦା କରିଥିବା ଅଭିଯୋଗ କରିଛନ୍ତି ବ୍ୟୋମକେଶ ରାୟ।
ଭର୍ତ୍ତୃହରିଙ୍କ ଅହଙ୍କାର ବଢ଼ିଗଲାଣି – ସୌମ୍ୟରଞ୍ଜନ ପଟ୍ଟନାୟକ
ଏପଟେ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ୭ ଥର ସାଂସଦ ହେବା ପରେ ଭର୍ତ୍ତୃହରି ମହତାବଙ୍କର ଅହଙ୍କାର ବଢ଼ିଗଲାଣି। ଭର୍ତ୍ତୃହରି ଯାହା ଲେଖିଛନ୍ତି ସେଥିରେ ସେ ଏକମତ ନୁହନ୍ତି ବୋଲି ସୌମ୍ୟରଞ୍ଜନ କହିଛନ୍ତି।
ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଭର୍ତ୍ତୃହରି ଏହି କଲେଜର ଛାତ୍ର। ଇଂରାଜୀରେ ଡିଗ୍ରୀ ହାସଲ କରିଛନ୍ତି। ଭର୍ତ୍ତୃହରି ନିଜର ମତ ପରିବର୍ତ୍ତନ କରନ୍ତୁ ବୋଲି ଦାବି କରିଛନ୍ତି ସୌମ୍ୟରଞ୍ଜନ।
ସେପଟେ ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମ ମଧ୍ୟ ନାମ ପରିବର୍ତ୍ତନକୁ ଘୋର ବିରୋଧ କରୁଛି। ନାମ ପରିବର୍ତ୍ତନ ପ୍ରସଙ୍ଗକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖାଯିବ ବୋଲି ଫୋରମ ପକ୍ଷରୁ କୁହାଯାଇଛି।
ଧର୍ମେନ୍ଦ୍ର ଉଠାଇଥିଲେ ରେଭେନ୍ସା ନାଁ ପରିବର୍ତ୍ତନ କଥା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାୟତଶାସନ ଦିବସ ଅବସରରେ କଟକ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ଆମନ୍ତ୍ରିତ ହୋଇ କଟକ ଆସିଥିଲେ। କାର୍ଯ୍ୟକ୍ରମ ଶେଷରେ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରୁ ଓହ୍ଲାଇ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିର୍ତ୍ତନ ହେବା ଆବଶ୍ୟକ ବୋଲି ଗଣମାଧ୍ୟମ ଆଗରେ କହିଥିଲେ।
ଧର୍ମେନ୍ଦ୍ର କହିଥିଲେ, “ଯେଉଁ ବ୍ୟକ୍ତି ଲକ୍ଷ ଲକ୍ଷ ଓଡ଼ିଆଙ୍କ ପ୍ରାଣହାନୀର କାରଣ ତାଙ୍କ ନାମରେ ଥିବା ଅନୁଷ୍ଠାନର ନାମ ପରିବର୍ତ୍ତନ କରାଯିବା ଉଚିତ ବୋଲି ମୋର ବ୍ୟକ୍ତିଗତ ମତ। ତେବେ ଏହା ଉପରେ ଖୋଲା ବିତର୍କ କରାଯିବାର ସମୟ ଆସିଛି।”
ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୟାନ ପରେ ତେଜିଛି ରାଜ୍ୟ ରାଜନୀତି। ତେବେ କ’ଣ ହେବ ରେଭେନ୍ସାର ଭାଗ୍ୟ, ନାଁ ପରିବର୍ତ୍ତନ ହେବ ନାଁ ପୁରୁଣା ପରିଚୟରେ ପରିଚିତ ହେବ ରେଭେନ୍ସା ବିଶ୍ଵବିଦ୍ୟାଳୟ, ଏହା ଦେଖିବା ବାକି ରହିଲା।
Tags: #RavenshawUniversity #Politics #OdishaPolitics #PoliticsonRavenshaw #RavenshawRenaming #Odisha #BJP #BJD #Congress