ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେଲା ସୁଭଦ୍ରା ସଚେତନତା ପଦଯାତ୍ରା। ରବିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହଦେଓ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ, ବିଏମସି କମିଶନର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ। ୟୁନିଟ-୩ ସ୍ଥିତ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ହଜାର ହଜାର ମହିଳା ସାମିଲ ହୋଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, “ସୁଭଦ୍ରା ଯୋଜନା ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜୀକରଣ କରିସାରିଛନ୍ତି। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଯାଇଛି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ମହିଳାମାନଙ୍କ ଆକାଉଣ୍ଟକୁ ଯିବ। ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ଵ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି।”

ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ, ବିଜେପି ସରକାର କଥାରେ ନୁହେଁ କାମରେ ବିଶ୍ଵାସ କରେ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସୁଭଦ୍ରା ଯୋଜନାର ପରିକଳ୍ପନା କରିଯାଇଛି। ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ଲାଭ ପାଇବା ଦରକାର।  

ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମଇଦାନଠାରେ ସୁଭଦ୍ରା ଯୋଜନାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବା ହିତାଧିକାରୀଙ୍କୁ ଯୋଜନା ଶୁଭାରମ୍ଭ ଦିନ ପ୍ରଥମ କିସ୍ତି ପ୍ରଦାନ କରାଯିବ। ସୁଭ୍ରଦା ଯୋଜନାରେ ଆବେଦନ କରିବା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ସେପ୍ଟେମ୍ବର ୧୫ ତାରିଖ ପରେ ଆବେଦନ କରୁଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ରବିବାର ଦିନ ଭୁବନେଶ୍ଵରରେ ସୁଭଦ୍ରା ସଚେତନତା ପଦଯାତ୍ରାର ଶୁଭାରମ୍ଭ କରାଯିବା ସହ ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ଵ ଗାଁରେ ପଦଯାତ୍ରା କରାଯାଇଛି।

Tags: #SubhadraYojana #PravatiParida #SubhadraSwagatPadajatra #Bhubaneswar #Odisha

LEAVE A REPLY

Please enter your comment!
Please enter your name here