ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ବାଲିଡ଼ିହା ଅଞ୍ଚଳର କୁସୁମୀ ସମ୍ପ୍ରଦାୟର ୧୩ ଜଣ ଲୋକ ବିଭିନ୍ନ ସ୍ଥାନରେ କରମ ନାଚ ପରିବେଷଣ କରି ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ତାରାଯୋଡ଼ି ଅଭିମୁଖେ ବାହାରିଥିଲେ। ଖସାଡ଼ିହା ଛକ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।
ସେହିପରି ବାରିପଦାର ପାଲବଣି ଛକ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୧ଟା ବେଳେ ଏକ ବାଇକକୁ ଗୋଟିଏ ଟ୍ରକ ପଛପଟୁ ଧକ୍କା ଦେବାରୁ ଦୁଇଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି। ବାରିପଦା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #Mayurbhanj #RoadAccident #Death #Baripada #Odisha