କପିଳାସ ଭୂୟାଁ

ଗତ ସପ୍ତାହରେ ଲୁଲୁଙ୍ଗ ଯିବାର ସୁଯୋଗ ମିଳିଥିଲା। ଭୁବନେଶ୍ୱରସ୍ଥିତ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆମ ଦେଶ ତଥା ରାଜ୍ୟର ବଛା ବଛା ଚିତ୍ରଶିଳ୍ପୀମାନଙ୍କର ସେଠାରେ ଗୋଟିଏ କ୍ୟାମ୍ପ ଚାଲିଥିଲା। ଲୁଲୁଙ୍ଗ ଅରଣ୍ୟ ନିବାସ ସହଯୋଗରେ ଏହି କ୍ୟାମ୍ପ ଆୟୋଜିତ ହେଉଥିଲା। ଚିତ୍ରଶିଳ୍ପୀ ବନ୍ଧୁ ରାମହରି ଜେନା ଏହାର ପରିଚାଳନା କରୁଥିଲେ। କେତକୀ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟ ତାଙ୍କୁ ସହଯୋଗ କରୁଥିଲେ। ଇଂରାଜୀରେ ଲେଖୁଥିବା ବିଶିଷ୍ଟ କବି ରବୀନ୍ଦ୍ର କୁମାର ସ୍ଵାଇଁଙ୍କ ସହ ମୁଁ ଅତିଥି ଭାବେ ସେଠାକୁ ଯାଇଥିଲୁ।

ଆମ ଦେଶରେ ଯେଉଁ କେତୋଟି ଜୈବମଣ୍ଡଳ ରହିଛି ଶିମିଳିପାଳ ତହିଁରୁ ଗୋଟିଏ। ତାହା ବ୍ୟତୀତ ଶିମିଳିପାଳ ଆମ ରାଜ୍ୟର ବ୍ୟାଘ୍ର ପ୍ରକଳ୍ପ, ଯେଉଁଥି ପାଇଁ ଏହା ମଧ୍ୟ ଏକ ଅଭୟାରଣ୍ୟ ଓ ଦେଶର ଜାତୀୟ ଉଦ୍ୟାନ। ସେହି ଶିମିଳିପାଳର ବାହ୍ୟ ପରିସୀମାରେ ଅବସ୍ଥିତ ଲୁଲୁଙ୍ଗ ଅରଣ୍ୟ ନିବାସ ରିସର୍ଟ ଯେଉଁଠାକୁ ବାରିପଦାପଟୁ ଯାଇହୁଏ। ଏହାକୁ ହାତୀମାନଙ୍କ କବଳରୁ ସୁରକ୍ଷିତ ରଖିବାକୁ ଚତୁଃପାର୍ଶ୍ଵରେ ଟ୍ରେଞ୍ଚ ଖୋଲାଯାଇଛି ଓ ଗେଟ ନିକଟରେ ଉଠା ଫାଟକ ରହିଛି। 

ଆଜିକାଲି ଅବଶ୍ୟ ହାତୀମାନଙ୍କ ପ୍ରାଦୁର୍ଭାବ ଆଉ ପୂର୍ବ ଭଳି ନାହିଁ, ତେଣୁ ଉଠା ଫାଟକ ଉଠାଇବା ଦରକାର ପଡୁନାହିଁ। ମାଟି ରାସ୍ତାରେ ଅରଣ୍ୟ ନିବାସରେ ପହଞ୍ଚିବା ପୂର୍ବରୁ ବାଟରେ ରାସ୍ତାଟି ଦୁଇ କେନା ହୋଇଯାଇଛି, ସେଥିରୁ ଗୋଟିଏ ଲୁଲୁଙ୍ଗକୁ ଯାଉଥିବା ବେଳେ ଅନ୍ୟଟି ବନ୍ୟଜନ୍ତୁ ଦର୍ଶନ ବ୍ୟବସ୍ଥା ରହିଥିବା ଚହଲା ଓ ବରେହିପାଣି ପରି ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ଆଡ଼କୁ ଯାଇଛି। ଅବଶ୍ୟ ଆମେ ସେଠାରେ ପହଞ୍ଚିବା ପରେ ପରେ ଲଗାଣ ବର୍ଷା ଲାଗି ରହିବାରୁ ଅନ୍ୟ କେଉଁଠାକୁ ଯାଇ ହେଲାନାହିଁ।

୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳରେ ବହୁ ସଂଖ୍ୟାରେ ଶିମିଳି ଗଛ ରହିଥିବାରୁ ଏହାର ଏପରି ନାମକରଣ। ବ୍ୟାଘ୍ର ଓ ହାତୀ ପ୍ରକଳ୍ପ ବ୍ୟତୀତ ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ଶିମିଳିପାଳ ଭିତରେ ରହିଛି ହଦଗଡ଼ ଓ କୁଲଡ଼ିହା ବନ୍ୟଜନ୍ତୁ ଅଭୟାରଣ୍ୟ। ବାଘ, ଚିତାବାଘ, ହାତୀଙ୍କ ବ୍ୟତୀତ ଏଠାରେ ହରିଣ, ଶମ୍ବର, ଜଙ୍ଗଲି ବିରାଡ଼ି, ଚଉଶିଙ୍ଘା ତଥା ଅନ୍ୟାନ୍ୟ ବହୁ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ଶିମିଳିପାଳକୁ ଉତ୍ତର ଦକ୍ଷିଣ କରି ଦୁଇ ଭାଗ କରିଦେଲେ ଦକ୍ଷିଣ ଭାଗରେ ହିଁ ରହିଛି ଜଙ୍ଗଲର ଅନ୍ତସ୍ଥ ଭାଗ ବା କୋର ଏରିଆ, ଯେଉଁଠାକୁ ଯଶିପୁର ପଟେ ଯିବାକୁ ହୁଏ ସେଠାରେ ରହିଛି ଶିମିଳିପାଳର ସର୍ବୋଚ୍ଚ ଶୃଙ୍ଗ ମେଘାସନୀ, ଅର୍ଥ ମେଘର ଘର। 

ସେହିଭଳି ଉଚ୍ଚ ଭୂମି କ୍ରମେ ତଳକୁ ଗଡ଼ି ଯାଉଥିବା ଉତ୍ତର ଭାଗରେ ରହିଛି ଅଭୟାରଣ୍ୟର ବାହ୍ୟ ଭାଗ, ଯାହାକି ଅତ୍ୟନ୍ତ ମନୋରମ। ସେହି ଭାଗରେ ରହିଛି ପ୍ରକୃତିର ଅପରୂପ ଭଣ୍ଡାର ବରେହିପାଣି, ଯୋରନ୍ଦା, ସୀତାକୁଣ୍ଡ ଓ ଲୁଲୁଙ୍ଗ ପରି ଦର୍ଶନୀୟ ସ୍ଥାନ। ଲୁଲୁଙ୍ଗ ନିକଟସ୍ଥ ଚହଲାଠାରେ ଥିବା ଜଳାଶୟକୁ ନାନାଦି ଜୀବଜନ୍ତୁ ଜଳପାନ କରିବାକୁ ଆସୁଥିବାରୁ ସେମାନଙ୍କୁ ତଥା ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏକ ପରିଦର୍ଶନ ମଞ୍ଚ ମଧ୍ୟ ରହିଛି।

ସର୍ବୋପରି ଶିମିଳିପାଳରେ ୬୦ରୁ ଊର୍ଦ୍ଧ୍ଵ ଅତି ବିରଳ ପ୍ରଜାତିର ଅର୍ଚ୍ଚିଡ଼ ମଧ୍ୟ ଦେଖିବାକୁ ମିଳେ। ଏଠାରେ ପଶ୍ଚିମ ଘାଟ, ପୂର୍ବ ଘାଟ ଓ ଉପ-ହିମାଳୀୟ ମିଳିତ ବାୟୁ ସଞ୍ଚାଳନର ସ୍ଥାନୀୟ ପାଣିପାଗ ଉପରେ ମିଶ୍ରିତ ପ୍ରଭାବ ରହୁଥିବାରୁ ତାହା ଏକାଧିକ ମିଶ୍ରିତ ବୃକ୍ଷଲତା ବଢ଼ିବା ପାଇଁ ସାହାଯ୍ୟ କରେ। 

ଉଲ୍ଲେଖନୀୟ କି ଏହି ଅରଣ୍ୟ ନିବାସଟି ପୂର୍ବରୁ ସରକାରୀ ସମ୍ପତି ଥିଲା, କିନ୍ତୁ ତାହାର ଉପଯୁକ୍ତ ପରିଚାଳନା ହୋଇ ନପାରିବାରୁ ୨୦୧୫ ମସିହାରେ ଘରୋଇ କମ୍ପାନିକୁ ୩୩ ବର୍ଷ ପାଇଁ ହସ୍ତାନ୍ତର କରାଯାଇଥିଲା। ଆଜି ଆମେ ଯେଉଁ ଅରଣ୍ୟ ନିବାସଟିକୁ ଦେଖୁଛନ୍ତି ଏପରି ଅବସ୍ଥାକୁ ଆଣିବାକୁ ଘରୋଇ ପରିଚାଳନା ସଂସ୍ଥାକୁ ପ୍ରାୟ ୩ ବର୍ଷ ଲାଗିଗଲା। ତା’ ପରେ ଯାଇ ସେମାନେ ସେଠାରେ ବ୍ୟବସାୟ ଆରମ୍ଭ କଲେ। କିନ୍ତୁ ଏହା ଭିତରେ ୨୦୨୦ ପରେ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ କୋଭିଡ ସଂକ୍ରମଣର ଭୟ ଓ ଲକଡାଉନ ପରିସ୍ଥିତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ୨୦୧୯ ମସିହାରେ ଗୋଟିଏ ବର୍ଷର ବ୍ୟବସାୟ ଭିତରେ ଅରଣ୍ୟ ନିବାସ ଯଥେଷ୍ଟ ପ୍ରଶଂସା ଅର୍ଜନ କରିପାରିଥିଲା। ସେତିକି ବେଳେ ହିଁ ପ୍ରଥମ ଲୁଲୁଙ୍ଗ ପେଣ୍ଟର୍ସ କ୍ୟାମ୍ପ ସଫଳତାର ସହ ଆୟୋଜିତ ହୋଇଥିଲା। ଆଜିର ଅବସ୍ଥା ଏପରି ଯେ ବ୍ୟବସାୟ ଋତୁରେ ଅତିଥିମାନଙ୍କର ଲମ୍ବା ଧାଡ଼ି ଲାଗି ଯାଉଛି। ଅନ୍-ଲାଇନରେ ଲୋକେ ବହୁ ପୂର୍ବରୁ ବୁକିଂ ନକଲେ ରୁମ ମିଳିବା ସମ୍ଭବ ହେଉ ନାହିଁ।

ଲୁଲୁଙ୍ଗକୁ ଯାଉଛି କିଏ ଓ କାହିଁକି?

ପ୍ରଥମ କଥା ହେଲା ଘଞ୍ଚ ଜଙ୍ଗଲ, ପାହାଡ଼ି ନଈ, ସୁସ୍ଥ ଜଳବାୟୁ ଓ ପରିଷ୍କାର ପରିଚ୍ଛନ୍ନ ରହିବା ବ୍ୟବସ୍ଥା ହେଉଛି ଲୁଲୁଙ୍ଗ ଅରଣ୍ୟ ନିବାସର ମୁଖ୍ୟ ଆକର୍ଷଣ। ଯେକୌଣସି ପ୍ରକୃତି ପ୍ରେମୀଙ୍କୁ ଲୁଲୁଙ୍ଗର ପ୍ରାକୃତିକ ପେରିବେଶ ତୁରନ୍ତ ଆକର୍ଷିତ କରେ। ସହରର ଗହଳ ଚହଳରୁ ବାହାରି ଯାଇ ପ୍ରକୃତି କୋଳର ଶାନ୍ତସ୍ନିଗ୍ଧ ପରିବେଶରେ କିଛି ଦିନ ଛୁଟି କଟାଇବାକୁ କିଏ ବା ନଚାହିଁବ? ପୁଣି କିଛି ଅତିଥି ଏଠାକୁ ଥରେ ଆସିଲେ ଏଠାକାର ମୋହରେ ପଡ଼ି ଯାଉଛନ୍ତି ଓ ବାରମ୍ବାର ଆସିବାରେ ଲାଗୁଛନ୍ତି। ସେମାନଙ୍କ ସଂଖ୍ୟା ବହୁ ଅଧିକ ନହେଲେ ବି କିଛି କମ ନୁହେଁ। 

ଅରଣ୍ୟ ନିବାସର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଦିଆଯାଉଥିବା ସୁବିଧା ଓ ସ୍ଵାଚ୍ଛନ୍ଦ୍ୟ ସହ କର୍ମକର୍ତ୍ତାମାନଙ୍କର ଉତ୍ତମ ବ୍ୟବହାର ଓ ତୁରନ୍ତ ସେବା ପ୍ରଦାନ। ଏଠାରେ ମିଳୁଥିବା ରୁମଗୁଡ଼ିକର ମୂଲ୍ୟ ସମସ୍ତଙ୍କୁ ସୁହାଇଲା ଭଳି। ଅବଶ୍ୟ ହନିମୁନ୍ ବା ସେହିଭଳି କିଛି ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ନିଜସ୍ଵ ସୁଇମିଂ ପୁଲ ସହ ରହିଥିବା ସୁଇଟ ପାଇଁ ଦିନକର ଦାମ ହେଉଛି ୨୫ ହଜାର ଟଙ୍କା ଏବଂ ଏହା ସର୍ବାଧିକ। କିନ୍ତୁ ଅନ୍ୟ ରୁମଗୁଡ଼ିକର ଦେୟ ଛ’ ହଜାରରୁ ୧୫ ହଜାର ମଧ୍ୟରେ ସୀମିତ। ପରିବାର ସହିତ ରହିବା ପାଇଁ ଚାରି-ବେଡ ବିଶିଷ୍ଟ ରୁମର ଦାମ ମାତ୍ର ୯ ହଜାର ୫୦୦ ଟଙ୍କା। ତେଣୁ ମଧ୍ୟବିତ୍ତଠାରୁ ଉଚ୍ଚ ମଧ୍ୟବିତ୍ତ ବର୍ଗର, ଯେ କେହି ବି ଏଠାକୁ ଯାଇ ରହିବାରେ ଅମଙ୍ଗ ହେବାର କିଛି ନାହିଁ।

ରିସର୍ଟର ରିସେପସନ ଅଞ୍ଚଳରେ ରହିଛି କନଫରେନ୍ସ ହଲ ଓ ଡାଇନିଂ। ପରିବେଶ ବେଶ ପରିଷ୍କାର ଓ ପରଚ୍ଛନ୍ନ। ଖାଇବା ପାଇଁ ଦେଶୀ, ଚାଇନିଜଠାରୁ କଣ୍ଟିନେଣ୍ଟାଲ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟ ଏଠାରେ ମିଳେ। ରୁମଗୁଡ଼ିକ ଗୋଟିଏ ଜାଗାରେ ଠୁଳ ନହୋଇ ପରସ୍ପରଠାରୁ ବେଶ ଦୂରରେ ରହିଛି ଓ ପ୍ରତ୍ୟେକ ରୁମକୁ ଯିବା ପାଇଁ ପାଦଚଲା ରାସ୍ତା ରହିଛି। ଜଣେ ଚାହିଁଲେ ରିସର୍ଟ ଭିତରେ ସାଇକେଲ ମଧ୍ୟ ଚଲାଇ ପାରିବ। ସୁଇମିଂ ପୁଲରେ ଗାଧେଇ ପାରିବ ଓ ସେଠାରେ ସୁରକ୍ଷା ପାଇଁ ଚାହିଁଲେ ଇନଷ୍ଟ୍ରକ୍ଟରଙ୍କ ସହଯୋଗ ପାଇପାରିବେ। 

ରିଲାକ୍ସ କରିବା ପାଇଁ ଗଛମୂଳେ ଏକାଧିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବ୍ୟାୟାମ ଓ ଆଡଭେଞ୍ଚର ବ୍ୟବସ୍ଥା ବି ଅଛି। ସେଠାରେ ମଧ୍ୟ ସୁରକ୍ଷା ଓ ପ୍ରଶିକ୍ଷଣ ପାଇଁ ଇନଷ୍ଟ୍ରକ୍ଟର ଅଛନ୍ତି। କ୍ୟାମ୍ପଫାୟାର କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ପରିବେଶକୁ ନଷ୍ଟ କଲା ଭଳି ଶବ୍ଦ ପ୍ରଦୂଷଣ କରିପାରିବ ନାହିଁ। ସେଥିପାଇଁ ସମସ୍ତଙ୍କୁ ପୂର୍ବରୁ ଅନୁରୋଧ ମଧ୍ୟ କରାଯାଇଥାଏ।

ଏଠାରେ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି କି ସାରା ରିସର୍ଟରେ କଳାକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କାଠ ଟୁକୁରାଠାରୁ ଆରମ୍ଭ କରି ଯେତେ ପ୍ରକାରର ଅଦରକାରୀ ସାମଗ୍ରୀକୁ ନେଇ କଳାତ୍ମକ ଭାବେ ସେଗୁଡ଼ିକୁ ବିଭିନ୍ନ ସ୍ଥାନରେ ସ୍ଥାନୀତ କରାଯାଇଛି, ଯାହାକି ବୁଲାବୁଲି କଲାବେଳେ ଜଣେ ଦର୍ଶକ-ଅତିଥିଙ୍କୁ ଏକ କଳାତ୍ମକ ଭାବ ପ୍ରଦାନ କରୁଛି। 

ଯେମିତିକି ଡାଇନିଂର କାନ୍ଥରେ ବ୍ୟବହାର ହୋଇଥିବା ମୋଟିଫ ବା ସୁଇମିଂ ପୁଲ ନିକଟରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ମାଟି ଦୀପଗୁଡ଼ିକ ଦ୍ଵାରା ଉପସ୍ଥାପିତ କୋଲାଜ କିମ୍ବା ପ୍ରତ୍ୟେକ ରୁମର ନମ୍ବର ପ୍ଲେଟରେ ରହିଥିବା ଜଙ୍ଗଲି ଫୁଲ ବା କଙ୍କିର ଚିତ୍ର। ସେଥିରୁ ଯାହା ମନେ ହୁଏ ରିସର୍ଟ ପରିଚାଳନା ସଂସ୍ଥା ପରିବେଶରେ କଳାତ୍ମକତାକୁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି।

ଉଲ୍ଲେଖନୀୟ କି ଏହି କଳାତ୍ମକ ପରିବେଶ ସୃଷ୍ଟି କରିବା ଦାୟିତ୍ଵ କେତକୀ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଜ୍ୟୋତି ରଂଜନ ସ୍ଵାଇଁ ତୁଲାଉଥିବା ବେଳେ ସମୁଦାୟ ଗଠନ ପରିପାଟି ପ୍ରସ୍ତୁତ କରିଛନ୍ତି ସ୍ଥପତି ସୁଗତ ମହାନ୍ତି। ସେହି କଳାତ୍ମକ ଦୃଷ୍ଟିଭଙ୍ଗୀକୁ ରିସର୍ଟରେ ସନ୍ନିହିତ କରିବାର ଏକ ସମ୍ପ୍ରସାରିତ ରୂପ ହେଉଛି ଏଠାରେ ଆୟୋଜିତ କରାଯାଉଥିବା ଲୁଲୁଙ୍ଗ ପେଣ୍ଟର୍ସ କ୍ୟାମ୍ପ।   

ପ୍ରକୃତି, ପାହାଡ଼ ପର୍ବତ, ଜଙ୍ଗଲ, ଝରଣା ଓ ନଦୀ ଏବଂ ସ୍ଥାନୀୟ ଆଦିବାସୀ ଗାଁଗୁଡ଼ିକର ଶାନ୍ତସ୍ନିଗ୍ଧ ପରିବେଶରେ ବୁଲି ଛୁଟି କାଟିବାର ନିଆରା ଓ ଅନନ୍ୟ ଅନୁଭୂତି ପାଇବା ପାଇଁ ଲୁଲୁଙ୍ଗ ଅରଣ୍ୟ ନିବାସ ରିସର୍ଟ ନିଃସନ୍ଦେହରେ ସ୍ଵତନ୍ତ୍ର ମାନ୍ୟତା ରଖେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #NatureCamp #Lulung #Mayurbhanj #Nature #Odisha

LEAVE A REPLY

Please enter your comment!
Please enter your name here