ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାରର ୧୦୦ ଦିନ

ପୁରୀରେ ବିଜେପିର ରାଜ୍ୟସ୍ତରୀୟ ସମାରୋହ

୧୦୦ ଦିନ ମଧ୍ୟରେ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛୁ – ମୁଖ୍ୟମନ୍ତ୍ରୀ

“୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ପୂରଣ ହେବ”

ଓଡ଼ିଶାରେ ୧୦୦ ଦିନ ପୂରଣ କରିଛି ବିଜେପି ସରକାର। ଏହି ଅବସରରେ ପୁରୀଠାରେ ବିଜେପି ପକ୍ଷରୁ ବିଶାଳ ସମାବେଶ ଏବଂ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରି ବିଜେପି ସରକାର ଓଡ଼ିଶାରେ ୧୦୦ ଦିନ ପୂରଣ କରିଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବିଜେପି ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛି। ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି ଏବଂ ଆଗକୁ ମଧ୍ୟ ପୂରଣ କରାଯିବ। ସଂକଳ୍ପ ପତ୍ର ଆମ ପାଇଁ ଧର୍ମଗ୍ରନ୍ଥ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିଜେପି ସରକାରର ପ୍ରଥମ ଦିନରେ ହିଁ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଗଲା। ରତ୍ନଭଣ୍ଡାର ମଧ୍ୟ ଖୋଲା ହେଲା। ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଗଲା। ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଗୋଟି ଗୋଟି ପୂରଣ କରାଯାଉଛି।

“ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ପୂରଣ ହେବ। ଏହାର ମୂଳଦୁଆ ପ୍ରଥମ ୫ ବର୍ଷ ମଧ୍ୟରେ ପଡ଼ିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇସାରିଛି। ବିକଶିତ ଭାରତରେ ଓଡ଼ିଶା ନିଶ୍ଚିତ ଭାବେ ବିକାଶର ରେଳ ଗାଡ଼ିରେ ପ୍ରଥମ ବଗି ହେବ”, କହିଛନ୍ତି ମୋହନ ଚରଣ ମାଝୀ।

ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ। ଲୋକ ମତ, ଲୋକ ହିତ ଓ ଲୋକ ସ୍ଵାର୍ଥ ହିଁ ସର୍ବୋପରି। ବିଜେପି ଲୋକଙ୍କ ସମର୍ଥନରେ ଗଢ଼ା ହୋଇଥିବା ଲୋକଙ୍କ ସରକାର। ଜନ ସମର୍ଥନ ନମିଳିବାରୁ ୨୪ ବର୍ଷର ସରକାରର ପତନ ଘଟିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୁରୀ ସାଂସଦ ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ପାଳନ ଉପଲକ୍ଷେ ପୁରୀ ନୀଳାଚଳ ହାଟଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ବିକାଶ ମେଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀରେ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ ହୋଇଛି।

Tags: #Politics #OdishaPolitics #OdishaGovt #CMOdisha #MohanCharanMajhi #BJP #Puri #Odisha

LEAVE A REPLY

Please enter your comment!
Please enter your name here