ମିନତି ମିଶ୍ର
ରାଜନୈତିକ ଚକ୍ରବ୍ୟୁହରେ ପୋଲାଭରମ ପ୍ରକଳ୍ପ। ପୋଲାଭରମ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ। ପୋଲାଭରମ ପାଇଁ ରାଜ୍ୟ ରାଜନୀତିରେ ବି ଉଠିଛି ଝଡ଼। ଏହି ପ୍ରକଳ୍ପକୁ ନେଇ ବୟାନବାଜିରେ ଲାଗିପଡ଼ିଛନ୍ତି ବିଜେପି-ବିଜେଡି।
ପୋଲାଭରମକୁ ନେଇ ବିଜେଡି ସରକାରରେ ଥିଲାବେଳେ ଟାର୍ଗେଟ କରୁଥିଲା ବିଜେପି। ହେଲେ ଆଜି ବିଜେପି ଓଡ଼ିଶାରେ ସରକାରକୁ ଆସିବା ପରେ ବିଜେଡି ଟାର୍ଗେଟରେ ବିଜେପି। ଦୁଇ ଦଳଙ୍କ କାଦୁଅ ଛଟାଛଟି ଭିତରେ ଆନ୍ଧ୍ରପ୍ରଦେଶରେ ଆଗେଇ ଚାଲିଛି ପୋଲାଭରମ କାମ। ଏପଟେ ପୋଲାଭରମ ପାଣିରେ ନିଜ ଠିକଣା ହଜାଇବା ଆଶଙ୍କାରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଶହଶହ ଲୋକ।
ବଜେଟ ପରେ ପୁଣି ଜଳିଥିଲା ପୋଲାଭରମ ନିଆଁ
ବର୍ଷ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ବିବାଦ ଚାଲି ଆସିଥିବାବେଳେ ଗତ ବଜେଟ ପରେ ଏହି ନିଆଁ ପୁଣି ଜୋର ଧରିଛି। ୨୦୨୪ରେ ଏନଡିଏ ସରକାର ବଜେଟରେ ଏହି ପ୍ରକଳ୍ପ ପାଇଁ ୧୨, ୧୫୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଛି।
ସରକାରଙ୍କୁ ଘେରିବାକୁ ବିଜେଡି ହାତରେ ପୋଲାଭରମ ଅସ୍ତ୍ର
ପୋଲାଭରମ ପ୍ରକଳ୍ପକୁ ନେଇ ଦିନେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଥିବା ବିଜେଡି ଏବେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ସରକାରଙ୍କୁ ଘେରିବାକୁ ପୋଲାଭରମକୁ ଅସ୍ତ୍ର କରିଛି ବିଜେଡି। ଏପରିକି ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ଗଠିତ ଏକ ଟିମ ମାଲକାନଗିରି ଅଞ୍ଚଳ ଗସ୍ତ କରି ଘଟଣାସ୍ଥଳର ଅନୁଧ୍ୟାନ କରିଛନ୍ତି।
ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା
ସେପ୍ଟେମ୍ବର ୫ ତାରିଖରେ ବିଧାନସଭାରେ ପୋଲାଭରମ ପ୍ରକଳ୍ପ ସମ୍ପର୍କୀତ ତଥ୍ୟ ଉପସ୍ଥାପନ କରି ବିଜେଡିକୁ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ୧୭ ବର୍ଷ ମଧ୍ୟରେ ତତକାଳୀନ ବିଜେଡି ସରକାର ପୋଲାଭରମ ପ୍ରକଳ୍ପକୁ ନେଇ କେବଳ ରାଜନୀତି କରୁଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ମୋହନ ଚରଣ ମାଝୀ ଅଭିଯୋଗ ଆଣିଥିଲେ, ପ୍ରକଳ୍ପ ଦ୍ୱାରା ଓଡ଼ିଶାର କେତେ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ତାହାର ସର୍ଭେ ଏକ ନିରପେକ୍ଷ କମିଟି ଦ୍ୱାରା କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଓକିଲ କହିଥିଲେ। ଗତ ୨୦୨୩ ମସିହା ସେପ୍ଟେମ୍ବର ୧୫ ତାରିଖରେ ରାଉରକେଲା ଏନଆଇଟିର ପ୍ରଫେସରମାନଙ୍କ ଦ୍ଵାରା ଗଠିତ ଏକ କମିଟି ଅନୁଧ୍ୟାନ ପାଇଁ ସହମତି ଦେଇଥିଲେ। ହେଲେ ବିଜେଡି ସରକାର ଅନୁଧ୍ୟାନ କରିବା ଦିଗରେ ଆଗ୍ରହ ଦେଖାଇ ନଥିଲେ।
ସେ ଆହୁରି କହିଥିଲେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ପ୍ରକଳ୍ପ ବିଷୟରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଙ୍କ ସହ ବୈଷୟିକ ଆଲୋଚନା ଜାରି ରହିଛି। ପ୍ରକଳ୍ପ ହେଲେ କେଉଁ ଅଞ୍ଚଳ ଜଳମଗ୍ନ ହେବ ତାହାର ଆକଳନ ହେଲା ପରେ ସଠିକ୍ ତଥ୍ୟ ଜଣାପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କେବେଠୁ ପୋଲାଭରମର ପରିକଳ୍ପନା?
ଆନ୍ଧ୍ରପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ ହେବାକୁ ଥିବା ବହୁମୁଖୀ ଜଳପ୍ରକଳ୍ପର ନାଁ ହେଉଛି ପୋଲାଭରମ। ତେବେ ପୋଲାଭରମ ପ୍ରକଳ୍ପର ପରିକଳ୍ପନା ଏବେର ନୁହେଁ। ଏ ପରିକଳ୍ପନା ସ୍ୱାଧୀନତା ପୂର୍ବର। ୧୯୪୧ ମସିହାରେ ମାଡ୍ରାସ ପ୍ରେସିଡେନ୍ସିର ମୁଖ୍ୟଯନ୍ତ୍ରୀ ଦିୱାନ ବାହାଦୁର ଏଲ. ଭେଙ୍କଟକ୍ରିଷ୍ଣ ଆୟାର ସର୍ଭେ କରି ଏଠାରେ ଏକ ପ୍ରକଳ୍ପ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ସେତେବେଳେ ଏହାର ନାମ ଥିଲା ‘ରାମପାଦ ସାଗର ପ୍ରକଳ୍ପ’। ୧୯୪୭ ମସିହରେ ଏହି ପ୍ରକଳ୍ପ ପାଇଁ ୧୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା।
ରାମପାଦ ସାଗର ପ୍ରକଳ୍ପରୁ ପୋଲାଭରମ
୧୯୬୭ ମସିହାରେ ପୋଲାଭରମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ୧୯୭୮ ମସିହାରେ ପ୍ରକଳ୍ପ ସମ୍ବନ୍ଧିତ ରିପୋର୍ଟ ପ୍ରଦାନ କରାଯାଇଥିଲା। ୧୯୭୮ ଏବଂ ୧୯୮୨ ମସିହାରେ ପ୍ରକଳ୍ପ ରିପୋର୍ଟକୁ ଯାଞ୍ଚ କରିବା ପରେ କେନ୍ଦ୍ରୀୟ ଜଳ କମିଶନ ପୋଲାଭରମ ଜଳଭଣ୍ଡାରକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୧୯୮୫-୮୬ରେ ଏହି ପ୍ରକଳ୍ପର ବ୍ୟୟ ପାଖାପାଖି ୨,୬୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।
୨୦୦୯ ଯାଏଁ ଜୋରଦାର ଆଗେଇ ଥିଲା ପ୍ରକଳ୍ପ କାମ
୧୯୮୦ ମସିହାରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଟାଙ୍ଗୁତୁରୀ ଆଞ୍ଜୟା ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ହେଲେ ପ୍ରକଳ୍ପ କାମ ଆଗେଇ ପାରିନଥିଲା। ୨୦୦୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣି ଏହାର ନିର୍ମାଣ କାମ ଆରମ୍ଭ କରିଥିଲେ।
୨୦୦୫ରୁ ୨୦୦୯ ମସିହା ମଧ୍ୟରେ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ଜଙ୍ଗଲ ଆଇନ ଅନୁମତି ମିଳିବା ସହ ନିର୍ମାଣ ନିମିତ୍ତ ଆବଶ୍ୟକ ସମସ୍ତ ନୀତିନିୟମ ଶେଷ ହୋଇଥିଲା। ହେଲେ ୨୦୦୯ ମସିହା ସେପ୍ଟେମ୍ବର ୨ ତାରିଖରେ ରାଜଶେଖର ରେଡ୍ଡୀଙ୍କ ଦେହାନ୍ତ ପରେ ପୁଣି ଏହାର ନିର୍ମାଣ କାମ ଅଟକି ଯାଇଥିଲା।
୨୦୧୪ ମସିହାରେ କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶର ମିଳିତ ଉଦ୍ୟମରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା।
କାହିଁକି ବିବାଦ?
୧୯୭୮ ମସିହାରେ ଆନ୍ଧ୍ରପ୍ରଦେଶ ସରକାର ଆନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପାଇଁ ପରିକଳ୍ପନା କରିଥିଲେ। ସେତେବେଳେ ଡ୍ୟାମର ଉଚ୍ଚତା ୧୫୦ ଫୁଟ କରିବାକୁ ଯୋଜନା ଥିଲା। ହେଲେ ୧୯୯୭ ମସିହାରେ ଏହାର ଉଚ୍ଚତା ୧୮୨ ଫୁଟ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଗଲା। ଏହି ନକ୍ସା ପରିବର୍ତ୍ତନ ପରେ ଆରମ୍ଭ ହୋଇଥିଲା ବିବାଦ।
ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଥିବାରୁ କେନ୍ଦ୍ରର ସହଯୋଗ କ୍ରମେ ଏହାର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଲା। କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ, ସିଲେରୁ ଓ ସାବେରୀ ନଦୀ କୂଳରେ ଆଡ଼ିବନ୍ଧ ହେବ। ଫଳରେ ଓଡ଼ିଶା କିମ୍ବା ଛତିଶଗଡ଼କୁ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ।
କେତେ କ୍ଷତିଗ୍ରସ୍ତ ହେବ ମାଲକାନଗିରି?
ପୋଲାଭରମ ପ୍ରକଳ୍ପକୁ ନେଇ ଆଶଙ୍କାରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟ। ତଥ୍ୟ କହୁଛି ଏହି ପ୍ରକଳ୍ପ ହେଲେ ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାର ୨୫୦ରୁ ଊର୍ଦ୍ଧ୍ଵ ଗ୍ରାମ ପାଣିରେ ବୁଡ଼ିଯିବାରୁ ଆଶଙ୍କା ରହିଛି। ଏହା ସହ ୭,୬୫୬ ହେକ୍ଟର ଜମି ପାଣିରେ ପଡ଼ିବା ସହ ୫,୫୩୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ମଧ୍ୟ ପାଣିରେ ବୁଡ଼ିଯିବାର ସମ୍ଭାବନା ରହିଛି।
ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଜିଲ୍ଲାର ମୋଟୁ ତହସିଲର ଏକାଧିକ ଗାଁ ଓ କାଲିମେଳା ପଞ୍ଚାୟତର ଅନେକ ଗାଁ ବୁଡ଼ିଯିବାର ଭୟ ରହିଛି। ଚିତ୍ରକୋଣ୍ଡା ଜଳଭଣ୍ଡାର ପାଇଁ ଭିଟାମାଟି ହରାଥିବା ଲୋକଙ୍କ ଦୁର୍ଦ୍ଦଶାର ଚିତ୍ର ଜିଲ୍ଲାବାସୀ ନିଜ ଆଖି ଦେଖିଥିବାରୁ ପୋଲାଭରମ ପ୍ରକଳ୍ପକୁ ନେଇ ସେମାନଙ୍କ ଛାତିରେ ଛନକା ପଶୁଛି। ଏହି କାରଣରୁ ଆଉ ଏକ ଜଳଭଣ୍ଡାର ନିର୍ମାଣକୁ ଦୃଢ଼ ବିରୋଧ କରୁଛନ୍ତି।
ସମ୍ପୂର୍ଣ୍ଣ ହୋଇପାରୁନି ପ୍ରକଳ୍ପ କାମ
୨୦୧୭ ମସିହାରେ ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଚନ୍ଦ୍ରବାବୁ ନାଇଡୁ ସରକାର ପୋଲାଭରମ ପ୍ରକଳ୍ପକୁ ନେଇ ତତ୍ପରତା ଦେଖାଇଥିଲେ। ବାରମ୍ବାର ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କାମ ସାରିବାକୁ ଉତ୍ସାହିତ କରୁଥିଲେ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ରରେ ଏନଡିଏ ସରକାରଙ୍କୁ ଟିଡିପି ପୂର୍ଣ୍ଣ ସମର୍ଥନ ଦେଉଥିବାରୁ କେନ୍ଦ୍ର ସହଯୋଗରେ ୨୦୧୯ ମସିହା ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବା ପାଇଁ ନାଇଡୁ ସରକାର ଲକ୍ଷ୍ୟ ରଖିଥିଲେ ହେଁ ସମ୍ଭବ ହୋଇପାରିନଥିଲା।
ଏପଟେ ପୋଲାଭରମ ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛି। ବର୍ଷକ ତଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କେତେକ ଅଞ୍ଚଳ ଜଳମଗ୍ନ ହେବ ଓ କେତେ ବନ୍ୟାଜଳ ରାଜ୍ୟ ଭିତରକୁ ପ୍ରବେଶ କରିବ ତା’ର ଅନୁଧ୍ୟାନ ଏକ ଦକ୍ଷ ଏଜେନ୍ସି ଦ୍ୱାରା କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ। ହେଲେ ତାହା ସମ୍ଭବପର ହୋଇପାରିନଥିଲା।
୨୦୨୪ ବଜେଟରେ କେନ୍ଦ୍ରୀୟ ଅନୁଦାନ ପାଇବା ପରେ ଖୁବ ଶୀଘ୍ର ଏହାର କାମ ସାରିବାକୁ ଚନ୍ଦ୍ରବାବୁ ନାଇଡୁ ସରକାର ଅଣ୍ଟା ଭିଡ଼ିଛନ୍ତି।
Tags: #PolavaramProject #PoliticalTussle #Odisha #AndhraPradesh #BJP #BJD #OdishaPolitics