ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରସ୍ତାବିତ ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଏନେଇ ଜେଏସଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ। ଗ୍ରୁପ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୭ ମାସ ତଳେ ରାଜ୍ୟ ସରକାରଙ୍କ ସହ ବୁଝାମଣା ହୋଇଥିଲା।

ଓଡ଼ିଶାରୁ ଏହି ପ୍ରକଳ୍ପକୁ ନେଇ ମହାରାଷ୍ଟ୍ରର ନାଗପୁର ଓ ଔରଙ୍ଗାବାଦରେ ସ୍ଥାପନ କରିବା ନେଇ ଆଲୋଚନା କରାଯାଉଛି। ଏଥିଲାଗି ଜେଏସଡବ୍ଲ୍ୟୁ ଗ୍ରୁପ୍ ପ୍ରାୟ ୫୦ ହଜାର କୋଟି ଟଙ୍କାର ନିବେଶ କରିବାର ସମ୍ଭାବନା ରହିଛି।

ତେବେ ଓଡ଼ିଶାରୁ ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଜେଏସଡବ୍ଲ୍ୟୁ ଗ୍ରୁପ୍ ଏବେ କିଛି ଚୂଡ଼ାନ୍ତ ନିଷ୍ପତ୍ତି କରି ନଥିବା ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି।

“ଇଭି ଓ ବ୍ୟାଟେରୀ ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ଆମେ ଆଲୋଚନା ଜାରି ରଖିଛୁ। ସେମାନେ ଏହି ପ୍ରକଳ୍ପକୁ ଓଡ଼ିଶାରୁ ସ୍ଥାନାନ୍ତର କରିବାକୁ ଚୂଡ଼ାନ୍ତ କରିନାହାଁନ୍ତି। ଏ ବାବଦରେ ଆମକୁ ମଧ୍ୟ କିଛି ଜଣାଇ ନାହାନ୍ତି”, କହିଛନ୍ତି ସମ୍ପଦ ଚନ୍ଦ୍ର ସ୍ଵାଇଁ।

ଓଡ଼ିଶାରେ ୪୦ ହଜାର କୋଟି ଟଙ୍କା ନିବେଶରେ ମେଗା ଇଭି ଓ ବ୍ୟାଟେରୀ କାରଖାନା ନିର୍ମାଣ ପାଇଁ ୨୦୨୪ ଫେବ୍ରୁଆରି ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ଜେଏସଡବ୍ଲ୍ୟୁ ଗ୍ରୁପ୍। ବୁଝାମଣା ଅନୁସାରେ କଟକ ନିକଟସ୍ଥ ନାରାଜରେ ୯୦୦ ଏକର ଜମିରେ ଇଭି ପ୍ଲାଣ୍ଟ ଏବଂ ପାରାଦୀପରେ ୫୦ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଲିଥିୟମ ରିଫାଇନାରି ତଥା ବ୍ୟାଟେରୀ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା।

Tags: #JSWGroup #EVManufacturingPlant #GreenEnergy #Investment #Odisha

LEAVE A REPLY

Please enter your comment!
Please enter your name here