ଆଶିଷ କୁମାର ରାୟ

ଭାରତୀୟ କ୍ରୀଡ଼ା ଇତିହାସରେ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନଟି ଥିଲା ଏକ ସ୍ୱର୍ଣ୍ଣିମ ଦିବସ। ଏହି ଦିନ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ସମ୍ପନ୍ନ ହୋଇଥିବା ଚେସ୍ ଅଲିମ୍ପିଆଡରେ ଆମ ଦେଶର ଖେଳାଳିମାନେ ହାସଲ କରିଛନ୍ତି ଏକ ବିରାଟ ସଫଳତା। ଏହି ସଫଳତା ଯେଭଳି ଅଦ୍ଭୁତପୂର୍ବ ସେହିଭଳି ଅବିଶ୍ୱସନୀୟ ମଧ୍ୟ। ଏହି ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରହିଛି।   

ଚେସ୍ ଅଲିମ୍ପିଆଡରେ ଭାରତର ପୁରୁଷ ତାରକାମାନେ ଓପନ୍ ବର୍ଗରେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରଦର୍ଶନ କରିବା ସହିତ ଯୁକ୍ତରାଷ୍ଟ୍ର ଆମେରିକା, ଉଜବେକିସ୍ତାନ ଓ ଚୀନ ଭଳି ଦଳକୁ ପଛରେ ପକାଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅନ୍ତିମ ଦିବସରେ ଭାରତୀୟ ଦଳ ସ୍ଲୋଭେନିଆକୁ ହରାଇ ୨୧ ମ୍ୟାଚପଏଣ୍ଟ ସହିତ ପ୍ରତିଯୋଗିତାରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଯେତେବେଳେ କି ଅନ୍ୟ କୌଣସି ଦଳ ୧୭ ପଏଣ୍ଟରୁ ଅଧିକ ସ୍କୋର କରିପାରିନଥିଲେ।

କେବଳ ସେତିକି ନୁହେଁ ସେପ୍ଟେମ୍ବର ୨୨ ତାରିଖ ଦିନ ଭାରତୀୟ ମହିଳା ଦଳ ଆଜରବୈଜାନକୁ ପରାସ୍ତ କରି ହାସଲ କରିଥିଲା ଅନୁରୂପ ସଫଳତା। ଯାହା ଭାରତକୁ ଏବେ ଚେସ୍ ଜଗତର ଶୀର୍ଷରେ ଅବସ୍ଥାପିତ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଓପନ୍ ବର୍ଗରେ ଚମତ୍କାର ପ୍ରଦର୍ଶନ  

ଡୋମାରାଜୁ ଗୁକେଶ, ରମେଶବାବୁ ପ୍ରଜ୍ଞାନନନ୍ଦା, ଅର୍ଜୁନ ଏସିଗେସୀ, ବିଦିତ ଗୁଜରାଟୀ ଏବଂ ପେଣ୍ଟାଲ୍ୟା ହରିକୃଷ୍ଣା, ଏହି ପାଞ୍ଚଜଣ ଥିଲେ ଭାରତୀୟ ପୁରୁଷ ଦଳର ସଦସ୍ୟ। ପ୍ରତିଯୋଗିତାରେ ସମସ୍ତଙ୍କ ପ୍ରଦର୍ଶନ ଥିଲା ବେଶ୍ ଚମତ୍କାର। ବିଶେଷକରି ଗୁକେଶ ଓ ଅର୍ଜୁନ ଥିଲେ ଚମତ୍କାର ଫର୍ମରେ। ୧୧ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭାରତ ୨୧ ମ୍ୟାଚ ପଏଣ୍ଟ ଲାଭ କରି ନିଜର ଏକାଧିପତ୍ୟ ବିସ୍ତାର କରିଥିଲା। କେବଳ ନବମ ରାଉଣ୍ଡରେ ଉଜବେକିସ୍ତାନ ବିରୁଦ୍ଧରେ ମୁକାବିଲା ଅମୀମାଂସିତ ରହିବାରୁ ଭାରତ ଗୋଟିଏ ପଏଣ୍ଟ ହରାଇଥିଲା, ଅନ୍ୟଥା ୨୨ରୁ ୨୨ ପଏଣ୍ଟ ପାଇବା ମଧ୍ୟ ଅସମ୍ଭବ ନଥିଲା।

ଏତଦ୍‌ବ୍ୟତୀତ ଦଶମ ରାଉଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମୁକାବିଲାରେ ପ୍ରଜ୍ଞାନନନ୍ଦ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲେ, ଯାହାକି ଥିଲା ଓପନ୍ ବିଭାଗରେ ଭାରତର ଏକମାତ୍ର ପରାଜୟ। ସମୁଦାୟ ଟୁର୍ଣ୍ଣାମେଣ୍ଟରେ ଭାରତର ପୁରୁଷ ଖେଳାଳିମାନେ ୨୭ଟି ଗେମରେ ବିଜୟୀ ହେବା ସହିତ ୧୬ଟି ଗେମକୁ ଅମୀମାଂସିତ ରଖିବାରେ ସମର୍ଥ ହୋଇଥିଲେ। ସୁତରାଂ ସମ୍ଭାବ୍ୟ ୪୪ ଗେମ ପଏଣ୍ଟରୁ ଭାରତକୁ ସର୍ବମୋଟ ମିଳିଥିଲା ୩୫ ପଏଣ୍ଟ, ଯାହାକି ଥିଲା ଅଦ୍ଭୁତପୂର୍ବ। ଅଧିକାଂଶ ମୁକାବିଲାରେ ଆମ ଖେଳାଳିମାନେ ହାସଲ କରିଥିଲେ ଏକତରଫା ବିଜୟ।

ଭାରତର ବିଜୟ ଅଭିଯାନ

ଏଥର ଚେସ୍ ଅଲିମ୍ପିଆଡରେ ଭାରତର ପୁରୁଷ ଦଳ ବିଜୟ ଅଭିଯାନ ଆରମ୍ଭ ହୋଇଥିଲା ମରୋକ୍କୋ ବିପକ୍ଷରେ। ଏହାପରେ ମୁକାବିଲା ଥିଲା ଆଇସ୍‌ଲାଣ୍ଡ ସହ। ଏହି ଦୁଇଟି ମ୍ୟାଚରେ ଭାରତ ୪-୦ରେ ବିଜୟ ହାସଲ କରିଥିଲା। ଅର୍ଥାତ୍ ଚାରିଟିଯାକ ବୋର୍ଡରେ ଆମ ଖେଳାଳିମାନେ ହାସଲ କରିଥିଲେ ଏକତରଫା ବିଜୟ।

ଏହାପରେ ତୃତୀୟ ଓ ଚତୁର୍ଥ ମୁକାବିଲା ଥିଲା ହଙ୍ଗେରୀ-ବି ଏବଂ ସର୍ବିୟା ଦଳ ସହିତ। ଏହି ଦୁଇଟି ମ୍ୟାଚରେ ଭାରତ ତିନିଟି ଲେଖାଏଁ ଗେମ୍ ଜିତି ବାକି ଗୋଟିଏ ଗେମ୍‌କୁ ଡ୍ର କରିବା ଫଳରେ ୩.୫-୦.୫ରେ ବିଜୟୀ ହୋଇଥିଲା। ପଞ୍ଚମ ଓ ଷଷ୍ଠ ମ୍ୟାଚ ଥିଲା ଯଥାକ୍ରମେ ଆଜରବାଇଜାନ ଓ ହଙ୍ଗେରୀ ବିପକ୍ଷରେ। ଏହି ଦୁଇ ମୁକାବିଲାରେ ଭାରତକୁ ମିଳିଥିଲା ୩-୧ରେ ବିଜୟ।

ତେବେ ଚୀନ ବିପକ୍ଷରେ ସପ୍ତମ ମ୍ୟାଚଟି ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଏଥିରେ ୩ଟି ଗେମ୍ ଅମୀମାଂସିତ ରହିବା ଯୋଗୁଁ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଥିଲା ଡି. ଗୁକେଶ ଏବଂ ୱେଇ ୟିଙ୍କ ମଧ୍ୟରେ ଚାଲିଥିବା ମୁକାବିଲା ଉପରେ। ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଚଲିଥିବା ସେହି ମୁକାବିଲାରେ ଗୁକେଶ ବିଜୟୀ ହେବାରୁ ଭାରତ ପରିଶେଷରେ ୨.୫-୧.୫ରେ ମୁକାବିଲା ଜିତି ନେଇଥିଲା।

ଏହାପରେ ଇରାନ ବିପକ୍ଷରେ ଅଷ୍ଟମ ମ୍ୟାଚକୁ ଏକତରଫା ଭାବେ ୩.୫-୦.୫ ରେ ହାତେଇ ନେବା ପରେ ନବମ ମୁକାବିଲାରେ ଉଜବେକିସ୍ତାନଠାରୁ ମିଳିଥିଲା କଡ଼ା ଟକ୍କର। ଦେଖିବାକୁ ଗଲେ ଉଜବେକିସ୍ତାନ ଥିଲା ୨୦୨୨ରେ ଚେନ୍ନାଇରେ ଆୟୋଜିତ ଗତ ଚେସ୍ ଅଲିମ୍ପିଆଡର ବିଜେତା। ଗତ ଥର ଭାରତର ଡି. ଗୁକେଶ ଏକ ପ୍ରବଳ ପ୍ରତିଦ୍ୱନ୍ଦିତାମୂଳକ ମୁକାବିଲାରେ ନୋଦିରବେକ୍ ଅବଦୁସତ୍ତାରୋଭଙ୍କ ନିକଟରୁ ପରାଜିତ ହେବା ଯୋଗୁଁ ଉଜବେକିସ୍ତାନ ଅଗ୍ରଣୀ ଲାଭ କରିଥିଲା ଏବଂ ପରିଶେଷରେ ସ୍ୱର୍ଣ୍ଣପଦକ ଜିତିବା ଦିଗରେ ସମର୍ଥ ହୋଇଥିଲା ଏବଂ ଭାରତକୁ ମିଳିଥିଲା ବ୍ରୋଞ୍ଜପଦକ। ଏଥର କିନ୍ତୁ ସମସ୍ତ ଗେମ୍ ଅମୀମାଂସିତ ରହିବାରୁ ଭାରତ ଓ ଉଜବେକିସ୍ତାନ ମ୍ୟାଚଟି ୨-୨ରେ ଡ୍ର ରହିଲା।

ପରବର୍ତ୍ତୀ ମୁକାବିଲା ଥିଲା ଶୀର୍ଷ ମାନ୍ୟତାପ୍ରାପ୍ତ ଯୁକ୍ତରାଷ୍ଟ୍ର ଆମେରିକା ସହିତ। ପ୍ରକୃତରେ ପ୍ରବଳ ପ୍ରତିଦ୍ୱନ୍ଦିମୂଳକ ଏହି ମୁକାବିଲାରେ ଭାରତ ବିଜୟୀ ହେବା ଫଳରେ ଏହାର ସ୍ୱର୍ଣ୍ଣ ବିଜୟ ପ୍ରାୟତଃ ନିଶ୍ଚିତ ହୋଇଯାଇଥିଲା। ଏହି ମୁକାବିଲାର ଏକ ମ୍ୟାଚରେ ଆର. ପ୍ରଜ୍ଞାନନନ୍ଦା ନିଜ ଗେମରେ ୱେସ୍‌ଲୀ ସୋଙ୍କ ଠାରୁ ପରାଜିତ ହୋଇଗଲେ। ବିଦିତ ଗୁଜରାଟୀଙ୍କ ମ୍ୟାଚ ଅମୀମାଂସିତ ରହିଥିଲା। ତେବେ ବିଶ୍ୱର ଦୁଇ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିରୋଧରେ ଗୁକେଶଙ୍କ ବିଜୟ ଏବଂ ଲେନିଏର୍ ଡୋମିଙ୍ଗୁଏଜ୍ ପେରେଜ୍‌ଙ୍କ ବିପକ୍ଷରେ ଅର୍ଜୁନ ଏରିଗେସୀଙ୍କ ବିଜୟ ଫଳରେ ଭାରତ ୨.୫-୧.୫ରେ ଆମେରିକାକୁ ପରାସ୍ତ କରିବା ଦିଗରେ ସମର୍ଥ ହେଲା।

ଭାରତର ସ୍ୱର୍ଣ୍ଣପଦକ ପ୍ରାୟତଃ ନିଶ୍ଚିତ ହୋଇଯିବା ପରେ ଏକାଦଶ ତଥା ଅନ୍ତିମ ମୁକାବିଲା ଥିଲା ସ୍ଲୋଭେନିଆ ବିପକ୍ଷରେ। ଏଥିରେ ଗୁକେଶ, ପ୍ରଜ୍ଞାନନନ୍ଦା ଏବଂ ଅର୍ଜୁନ ନିଜ ନିଜ ମୁକାବିଲା ଜିତି ୩.୫-୦.୫ରେ ଏକତରଫା ବିଜୟ ଆଣିବା ସହିତ ଚେସ୍ ଅଲିମ୍ପିଆଡରେ ପ୍ରଥମଥର ସକାଶେ ଭାରତ ସ୍ୱର୍ଣ୍ଣପଦକ ହାସଲ କଲା। ଏହି ପ୍ରତିଯୋଗିତାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରୌପ୍ୟପଦକ ମିଳିଥିବା ବେଳେ ଗତ ବିଜେତା ଉଜବେକିସ୍ତାନ ହାସଲ କରିଥିଲା ବ୍ରୋଞ୍ଜପଦକ।

ମହିଳା ବିଭାଗରେ ମଧ୍ୟ ଚମତ୍କାରିତା

ଚଳିତ ବର୍ଷ ଚେସ୍ ଅଲିମ୍ପିଆଡର ମହିଳା ବର୍ଗରେ ଭାରତ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ହୋଇଥିଲେ ମଧ୍ୟ ଦେଶର ଏକ ନମ୍ବର ତାରକା କୋନେରୁ ହମ୍ପିଙ୍କ ଅନୁପସ୍ଥିତି ଯୋଗୁଁ କିଛିଟା ସଂଶୟ ରହିଥିଲା। ଦଳରେ ସାମିଲ ଥିଲେ ଦ୍ରୋଣାଭିଲି ହରିକା, ରମେଶବାବୁ ବୈଶାଳୀ, ଦିବ୍ୟା ଦେଶମୁଖ, ବନ୍ତିକା ଅଗ୍ରୱାଲ ଏବଂ ତନିଆ ସଚଦେବ। ବୈଶାଳୀ ହେଉଛନ୍ତି ଆର. ପ୍ରଜ୍ଞାନନନ୍ଦାଙ୍କ ବଡ଼ ଭଉଣୀ।

ତେବେ ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସମୟରେ ହରିକାଙ୍କ ଦୁର୍ବଳ ପ୍ରଦର୍ଶନ ଭାରତର ପଦକ ବିଜୟ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଥିଲା। କିନ୍ତୁ ତୃତୀୟ ବୋର୍ଡରେ ଦିବ୍ୟା ଦେଶମୁଖ ଏବଂ ଚତୁର୍ଥ ବୋର୍ଡରେ ବନ୍ତିକା ଅଗ୍ରୱାଲଙ୍କ ଚମତ୍କାରିତା ଭାରତ ପାଇଁ ପଦକ ଆଣିଦେବାରେ ସହାୟକ ହୋଇଥିଲା ଏବଂ ତାହା ଥିଲା ଭାରତୀୟ ଦଳର ଚିର ଈପ୍‌ସିତ ସ୍ୱର୍ଣ୍ଣପଦକ।

ଓପନ୍ ବର୍ଗରେ ଭାରତର ପୁରୁଷ ଖେଳାଳିମାନେ ୨୧ ପଏଣ୍ଟ ହାସଲ କରିଥିବା ବେଳେ ମହିଳା ବିଭାଗରେ ମିଳିଥିଲା ମୋଟ ୧୯ ପଏଣ୍ଟ। ପୋଲାଣ୍ଡ ବିପକ୍ଷରେ ପରାଜୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମ୍ୟାଚ ଅମୀମାଂସିତ ରହିବା ସତ୍ତ୍ୱେ ଭାରତ ଚାମ୍ପିଆନ ହେବା ନିଶ୍ଚିତ ଭାବେ ଏକ ସୁଖଦ ଅନୁଭବ।

ପ୍ରତ୍ୟେକ ମ୍ୟାଚର ପରିଣାମ

ଭାରତୀୟ ମହିଳା ଦଳ ଏହାର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ କରିଥିଲା ଜାମାଇକା ଓ ଚେକ୍ ରିପବ୍ଲିକକୁ। ଏହି ଦୁଇଟି ମ୍ୟାଚକୁ ଭାରତ ଜିତିଥିଲା ୩.୫-୦.୫ ରେ। ଏହାପରେ ସ୍ୱିଜରଲାଣ୍ଡକୁ ୩-୧ରେ ଏବଂ ଫ୍ରାନ୍‌ସକୁ ୩.୫-୦.୫ ବ୍ୟବଧାନରେ ହରାଇଥିଲା ଭାରତ। ତେବେ ପଞ୍ଚମ ମୁକାବିଲାରେ କାଜାଖସ୍ତାନ ଏବଂ ଷଷ୍ଠ ମୁକାବିଲାରେ ଆର୍ମେନିଆ ବିରୋଧରେ ୨.୫-୧.୫ ରେ ମିଳିଥିବା ବିଜୟ ଥିଲା ଅତ୍ୟନ୍ତ ରୋମାଞ୍ଚକର।

କାଜାଖସ୍ତାନ ସହିତ ମ୍ୟାଚରେ ଡି. ହରିକା ହାରିଯିବାରୁ ଦଳ ଆଶଙ୍କାରେ ପଡ଼ିଥିଲା, କିନ୍ତୁ ଆର. ବୈଶାଳୀ ଏବଂ ବନ୍ତିକା ଅଗ୍ରୱାଲ ସେମାନଙ୍କର ମ୍ୟାଚ ଜିତିନେବା ଫଳରେ ଭାରତ ବିଜୟୀ ହୋଇଥିଲା। ସେହିଭଳି ଆର୍ମେନିଆ ବିପକ୍ଷରେ ଦିବ୍ୟା ଦେଶମୁଖଙ୍କ ବିଜୟ ଦଳପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସପ୍ତମ ରାଉଣ୍ଡରେ ଶକ୍ତିଶାଳୀ ଦଳ ଜର୍ଜିଆ ବିପକ୍ଷରେ ୩-୧ରେ ବିଜୟ ମିଳିଥିଲା। ଏହି ମୁକାବିଲାରେ ବୈଶାଳୀ ଏବଂ ବନ୍ତିକା ହାସଲ କରିଥିଲେ ଚମକପ୍ରଦ ବିଜୟ।

ଅଷ୍ଟମ ରାଉଣ୍ଡରେ ପୋଲାଣ୍ଡ ହାତରୁ ୧.୫ – ୨.୫ରେ ପରାଜିତ ହେବା ଏବଂ ନବମ ରାଉଣ୍ଡରେ ଆମେରିକା ସହିତ ମ୍ୟାଚ ଅମୀମାଂସିତ ରହିବା ଫଳରେ ଭାରତର ପଦକ ସମ୍ଭାବନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା।

ପୋଲାଣ୍ଡ ସହିତ ମ୍ୟାଚରେ ଭାରତର ଦୁଇ ଶୀର୍ଷ ଖେଳାଳି ହରିକା ଓ ବୈଶାଳୀ ପରାଜିତ ହୋଇଗଲେ । କେବଳ ଦିବ୍ୟା ହିଁ ଏଥିରେ ବିଜୟ ହାସଲ କରିଥିଲେ। ଏହାପରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମୁକାବିଲାରେ ବୈଶାଳୀଙ୍କ ପରାଜୟ ଫଳରେ ଭାରତ ଚାପଗ୍ରସ୍ତ ହୋଇଥିଲା। ଦିବ୍ୟା ଓ ତାନିଆ ନିଜ ନିଜ ଗେମ୍ ଡ୍ର ରଖିଥିବା ବେଳେ ଇରିନା କ୍ରଶ୍‌ଙ୍କ ବିରୋଧରେ ବନ୍ତିକାଙ୍କ ବିଜୟ ଯୋଗୁଁ ହିଁ ମ୍ୟାଚ ୨-୨ରେ ଅମୀମାଂସିତ ରହିଲା।

ତେବେ ଦଶମ ରାଉଣ୍ଡରେ ଚୀନ ବିପକ୍ଷରେ ୨.୫-୧.୫ ବ୍ୟବଧାନରେ ବିଜୟ ଭାରତର ପଦକ ଲାଭ ପାଇଁ ସହାୟକ ସିଦ୍ଧ ହେଲା। ଭାରତର ଦିବ୍ୟା ଦେଶମୁଖ ଚୀନର ନି ଶିକ୍ୱେନ୍‌ଙ୍କୁ ହରାଇ ଦେବାରୁ ଏହା ସମ୍ଭବ ହୋଇପାରିଲା।

ଅନ୍ତିମ ରାଉଣ୍ଡରେ ଭାରତ ମୁହାଁମୁହିଁ ହୋଇଥିଲା ଆଜରବୈଜାନ ସହିତ। ଏହି ମୁକାବିଲା ଭାରତ ପାଇଁ ବେଶ୍ ସହଜସାଧ୍ୟ ହୋଇଉଠିଲା। ହରିକା, ଦିବ୍ୟା ଓ ବନ୍ତିକା ନିଜ ନିଜ ଗେମ୍ ଜିତିନେଲେ ଏବଂ ବୈଶାଳୀଙ୍କ ମ୍ୟାଚ ଡ୍ର ରହିଲା। ଭାରତ ୩.୫-୦.୫ ରେ ବଜୟୀ ହୋଇ ସ୍ୱର୍ଣ୍ଣପଦକ ଉପରେ ନିଜର ଅଧିକାର ସାବ୍ୟସ୍ତ କରିନେଲା। କାଜାଖସ୍ତାନକୁ ରୌପ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ବ୍ରୋଞ୍ଜପଦକ ମିଳିଥିଲା। ଏହି ଦୁଇଦଳ ମଧ୍ୟରେ ଅନ୍ତିମ ରାଉଣ୍ଟ ମୁକାବିଲା ଅମୀମାଂସିତ ରହିବାରୁ ଭାରତକୁ ଫାଇଦା ମିଳିଥିଲା।       

ଉଭୟ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ

୧୯୫୬ରୁ ଭାରତ ଚେସ୍ ଅଲିମ୍ପିଆଡରେ ଅଂଶଗ୍ରହଣ କରି ଆସୁଥିଲେ ହେଁ ସ୍ଵର୍ଣ୍ଣ ପଦକ ଜିତିବା ଏକ ସ୍ୱପ୍ନ ହୋଇ ରହିଥିଲା। ଏପରିକି ବିଶ୍ୱନାଥନ ଆନନ୍ଦଙ୍କ ଭଳି ମହାନ ଖେଳାଳି ଅନେକଥର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ମଧ୍ୟ ନିଜ ଦଳକୁ ପଦକ ବିଜୟୀ କରାଇ ପାରିନଥିଲେ। କାରଣ ସେ ସମୟରେ ଦଳରେ ତାଙ୍କ ବ୍ୟତୀତ ଅନ୍ୟ କେହି ଉଚ୍ଚକୋଟୀର ଖେଳାଳି ନଥିଲେ।

ଭାରତକୁ ପ୍ରଥମ ପଦକ ବିଜୟର ସ୍ୱାଦ ମିଳିଥିଲା ୨୦୧୪ରେ ନରୱେରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡରେ। ସେ ବର୍ଷ ପରିମାର୍ଜନ ନେଗି, ପି. ସେତୁରମ. କେ. ଶଶିକିରଣ, ବି. ଅଧିବନ ଏବଂ ଏମ.ଆର. ଲଲିତବାବୁଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜପଦକ ହାସଲ କରିଥିଲା। ଏହାପରେ ଯାଇ ପଦକ ମିଳିଲା ୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ଅଲିମ୍ପିଆଡରେ ଭାରତୀୟ ପୁରୁଷ ଏବଂ ମହିଳା ବିଭାଗରେ ବ୍ରୋଞ୍ଜପଦକ ଜିତିଥିଲା।

ସେହିବର୍ଷ ଭାରତୀୟ ପୁରୁଷ ଦଳରେ ସାମିଲ ଥିଲେ ଡ. ଗୁକେଶ, ନିହାଲ ସରୀନ, ଆର. ପ୍ରଜ୍ଞାନନନ୍ଦା, ବି. ଅଧିବନ ଓ ରୌନକ ସାଧୱାନୀ। ସେହିଭଳି ବ୍ରୋଞ୍ଜ ବିଜୟୀ ମହିଳା ଦଳରେ ସାମିଲ ଥିଲେ କୋନେରୁ ହମ୍ପି, ଡି. ହରିକା. ଆର. ବୈଶାଳୀ, ତାନିଆ ସଚଦେବ ଏବଂ ଭକ୍ତି କୁଲକର୍ଣ୍ଣି।

ଏଥର କିନ୍ତୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମଥର ପାଇଁ ସ୍ୱର୍ଣ୍ଣପଦକ ମିଳିଛି। ଏତଦ୍‌ବ୍ୟତୀତ ଓପନ୍ ବିଭାଗର ଟପ୍ ବୋର୍ଡରେ ଡି. ଗୁକେଶ ଏବଂ ତୃତୀୟ ବୋର୍ଡରେ ଅର୍ଜୁନ ଏରିଗେସୀ ତଥା ମହିଳା ବିଭାଗର ତୃତୀୟ ବୋର୍ଡରେ ଦିବ୍ୟା ଦେଶମୁଖ ଏବଂ ଚତୁର୍ଥ ବୋର୍ଡରେ ବନ୍ତିକା ଅଗ୍ରୱାଲ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି। ଉଭୟ ବିଭାଗରେ ଦଳଗତ ସ୍ୱର୍ଣ୍ଣ ସହିତ ଭାରତର ଚାରି ଚାରିଜଣ ତାରକା ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ଜିତିବା ନିଶ୍ଚିତ ଭାବେ ଅବିସ୍ମରଣୀୟ ଘଟଣା। ଏହି ସଫଳତା ଭାରତୀୟ ଚେସ୍‌କୁ ଆହୁରି ଆଗକୁ ନେବାରେ ସହାୟକ ସିଦ୍ଧ ହେବ ନିଶ୍ଚୟ।

Tags: #ChessOlympiad2024 #GoldMedal #TeamIndia #Chess #Sports

LEAVE A REPLY

Please enter your comment!
Please enter your name here