ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ବସିଥିବା ଏହି ବୈଠକରେ ୪,୯୫୪ କୋଟି ଟଙ୍କାର ୩୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ମଞ୍ଜୁର ହୋଇଥିବା ଶିଳ୍ପ ପ୍ରକଳ୍ପରୁ ୨୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ଵର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଏସବୁ ପ୍ରକଳ୍ପ ସ୍ଥାପନ କରାଯିବ।

ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ନେପଚୁନସ୍ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ନିବେଶରେ ଜାହାଜ ତିଆରି କାରଖାନା ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହାସହ କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି।

ଭାରତ ପେଟ୍ରୋଲିୟମ୍ ୨୦୦ କୋଟି ଟଙ୍କା ନିବେଶ କରି ବରଗଡ଼ରେ ଏକ ବାୟୋ ଗ୍ୟାସ ପ୍ଳାଣ୍ଟ ନିର୍ମାଣ କରିବ। ସେହିପରି ରିଲାଏନ୍ସ ବାୟୋ ଏନର୍ଜିର ସମ୍ବଲପୁରରେ ୧୨୧ କୋଟି ଟଙ୍କାର ବାୟୋ ଗ୍ୟାସ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହାସହ ରାୟଗଡ଼ାରେ ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏଥ୍‌ରେ କମ୍ପାନି ୧୩୯.୯୦ କୋଟି ଟଙ୍କା ନିବେଶ କରିବ।

ସେହିପରି କୋରାପୁଟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ୨୯୪ କୋଟି ଟଙ୍କା ନିବେଶରେ ସୋଲାର ପାୱାର ପ୍ଲାଣ୍ଟ ବସାଇବ। ସେହିପରି କୋରାପୁଟରେ ଜିଏମ ଇନଫ୍ରାଟେକର ବର୍ତ୍ତମାନର ପ୍ରକଳ୍ପକୁ ୮୧ କୋଟି ଟଙ୍କାରେ ସମ୍ପ୍ରସାରଣ ପାଇଁ ଅନୁମତି ମିଳିଛି।

ବୈଠକରେ ଏସ୍ଏନ୍‌ଏମ୍ ହୋଟେଲ୍‌ ଆଣ୍ଡ ରିସୋର୍ଟକୁ ପୁରୀରେ ପାଞ୍ଚଟି ହୋଟେଲ୍ ପ୍ରକଳ୍ପ କରିବା ପାଇଁ ମଞ୍ଜୁର କରାଯାଇଛି। ଏଥିରେ ୨୧୨ କୋଟି ଟଙ୍କା ନିବେଶ ହେବ। ଏହାସହ ହୋଟେଲ ‘ସୋନାର ବାଂଲା’ ପକ୍ଷରୁ ଶିମିଳିପାଳରେ ୫୧ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ନିର୍ମାଣକୁ ଅନୁମୋଦନ କରାଯାଇଛି। କ୍ରାକର ଇଣ୍ଡିଆର ୫୬ କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ରିସୋର୍ଟ ନିର୍ମାଣକୁ ସିଙ୍ଗଲ ୱିଣ୍ଡୋ କମିଟିର ଅନୁମତି ମିଳିଛି।    

Tags: #OdishaSingleWindowClearanceAuthority #SLSWCA #IndustrialProjects #Odisha

LEAVE A REPLY

Please enter your comment!
Please enter your name here