ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସେ ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇଥଲେ। ଏହାପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ ବିଷୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି।

 ଜେ ପି ନଡ୍ଡା ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ।

“ବିଜେପି ଭାରତର ଏକମାତ୍ର ଗଣତାନ୍ତ୍ରିକ ଦଳ। ଏଠାରେ ଅତ୍ୟନ୍ତ ସ୍ଵଚ୍ଛ ଭାବେ ସଦସ୍ୟତା ଗ୍ରହଣ କରାଯାଏ। ଆମ ଦଳରେ ନେତାଙ୍କ ପୁଅ ନେତା ହୁଅନ୍ତିନି ବରଂ ଜଣେ ସାଧାରଣ ଲୋକ ଦଳର ଶୀର୍ଷ ନେତୃତ୍ଵ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି। ଏହା ଆମ ଦେଶରେ ଅନ୍ୟ କୌଣସି ଦଳରେ ଦେଖିବାକୁ ମିଳେ ନାହିଁ”, କହିଛନ୍ତି ଜେ ପି ନଡ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “୨ ସେପ୍ଟେମ୍ବରରୁ ଏ ପର୍ଯ୍ୟନ୍ତ ବିଜେପିର ସଦସ୍ୟତା ଅଭିଯାନରେ ୬ କୋଟି ଲୋକ ସାମିଲ ହେଲେଣି। ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢୁଛୁ। ଭାରତକୁ ସଶକ୍ତ କରିବା ସହ ବିକଶିତ କରିବା ଆମର ଏକମାତ୍ର ଲକ୍ଷ୍ୟ। ଏହି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।”

ଏହାପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ ବିଷୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ଜେ ପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Tags: #JPNadda #BJPNationalPresident #OdishaVisit #Bhubaneswar

LEAVE A REPLY

Please enter your comment!
Please enter your name here