ଓଡ଼ିଶାଲାଇଭ ବ୍ୟୁରୋ

ବେଙ୍ଗାଳୁରୁର ଭ୍ୟାଲିକାବଲାଠାରେ ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣା ନେଇଛି ନୂଆ ମୋଡ଼। ବେଙ୍ଗାଳୁରୁରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି। ମୃତ ଅଭିଯୁକ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ।  

ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଞ୍ଜନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଅଞ୍ଚଳ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁକ୍ତିରଞ୍ଜନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଠଇଛି। ଏପଟେ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଙ୍ଗାଳୁରୁ ପୋଲିସ ପୁଣି ଭଦ୍ରକ ଆସିବ ବୋଲି ସୂଚନା ମିଳିଛି।

କାହିଁକି ମହାଲକ୍ଷ୍ମୀଙ୍କୁ ହତ୍ୟା କଲେ?

ଅଭିଯୁକ୍ତଙ୍କ ସାନଭାଇ କହିଛନ୍ତି, କାହିଁକି ମହାଲକ୍ଷ୍ମୀଙ୍କୁ ହତ୍ୟା କଲେ ମୁକ୍ତିରଞ୍ଜନ। ମୁକ୍ତିରଞ୍ଜନ ଏବଂ ମହାଲକ୍ଷ୍ମୀ ବେଙ୍ଗାଳୁରୁର ଏକ କପଡ଼ା ଷ୍ଟୋରରେ ଏକାଠି କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହେବା ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ।

ମହାଲକ୍ଷ୍ମୀ ବିବାହିତା ବୋଲି ବହୁ ଡେରିରେ ଜାଣିବାକୁ ପାଇଥିଲେ ମୁକ୍ତିରଞ୍ଜନ। ତଥାପି ଉଭୟଙ୍କ ସମ୍ପର୍କରେ କୌଣସି ପ୍ରଭାବ ପଡ଼ିନଥିଲା। କିଛି ବର୍ଷ ଦୁହେଁ ଏକାଠି ରହିଥିଲେ। କିଛି ମାସ ପୂର୍ବରୁ ମହାଲକ୍ଷ୍ମୀଙ୍କ ଜୀବନରେ ଅନ୍ୟ ଜଣେ ଯୁବକ ଆସିଥିଲେ। ଏହା ଜଣାପଡ଼ିବା ପରେ ମୁକ୍ତିରଞ୍ଜନ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିବା ସହ ସମ୍ପର୍କ ବିଗିଡ଼ି ଯାଇଥିଲା।

ଫ୍ରିଜରୁ ମିଳିଲା ମହାଲକ୍ଷ୍ମୀଙ୍କ ଶରୀରର ୫୯ ଖଣ୍ଡ

ସେପ୍ଟେମ୍ବର ୩ ତାରିଖରେ ମହାଲକ୍ଷ୍ମୀ ରହୁଥିବା ଫ୍ଲାଟକୁ ଯାଇଥିଲେ ମୁକ୍ତିରଞ୍ଜନ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ମହାଲକ୍ଷ୍ମୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ମୁକ୍ତିରଞ୍ଜନ। ଏହା ପରେ ଏକ ଧାରୁଆ ଛୁରୀରେ ମହାଲକ୍ଷ୍ମୀଙ୍କ ଶରୀରକୁ ୫୯ ଖଣ୍ଡ କରି ଫ୍ରିଜ ଭିତରେ ରଖିଥିଲେ। ଧରାପଡ଼ିବା ଭୟରେ ମୁକ୍ତିରଞ୍ଜନ ଓଡ଼ିଶା ଚାଲିଆସିଥିଲେ। ଘଟଣା ସମ୍ପର୍କରେ ମୁକ୍ତିରଞ୍ଜନ ନିଜ ସାନ ଭାଇକୁ ସବୁ କଥା କହିଥିଲେ।

ଏପଟେ ସେପ୍ଟେମ୍ବର ୪ ତାରିଖରୁ ଝିଅ ସହ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ମହାଲକ୍ଷ୍ମୀଙ୍କ ମା’ ବେଙ୍ଗାଳୁରୁ ଆସିଥିଲେ। ମହାଲକ୍ଷ୍ମୀ ରହୁଥିବା ଫ୍ଲାଟକୁ ଯାଇ ତାଙ୍କ କାବାଟ ଠକ୍ ଠକ୍ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମହାଲକ୍ଷ୍ମୀଙ୍କ ରୁମ କବାଟ ଭାଙ୍ଗି ଭିତରକୁ ପଶିଥିଲେ ତାଙ୍କ ମା’। ପଶୁ ପଶୁ ମହାଲକ୍ଷ୍ମୀଙ୍କ ମା’ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ଫ୍ରିଜ ଭିତରେ ମହାଲକ୍ଷ୍ମୀଙ୍କର ଖଣ୍ଡ ଖଣ୍ଡ ଶରୀରକୁ ରଖାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ବେଙ୍ଗାଳୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ମହଲକ୍ଷ୍ମୀ ହତ୍ୟାକାଣ୍ଡରେ ମୁକ୍ତିରଞ୍ଜନଙ୍କ ସମ୍ପୃକ୍ତି ଥିବାନେଇ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇଦିନ ତଳେ ବେଙ୍ଗାଳୁରୁ ପୋଲିସର ଏକ ଟିମ ମୁକ୍ତିରଞ୍ଜନଙ୍କ ଗାଁରେ ପହଞ୍ଚି ଥିଲା। କିନ୍ତୁ ମୁକ୍ତିରଞ୍ଜନଙ୍କୁ ନପାଇ ସେମାନେ ବେଙ୍ଗାଳୁରୁ ଫେରି ଯାଇଥିଲେ।

ବେଙ୍ଗାଳୁରୁ ପୋଲିସ ଫେରିଯିବା ପରେ ମଙ୍ଗଳବାର ରାତିରେ ମୁକ୍ତିରଞ୍ଜନ ଭୂଇଁପୁର ଗାଁରେ ଥିବା ନିଜ ଘରକୁ ଆସିଥିଲେ। ବୁଧବାର ସକାଳେ ଭଦ୍ରକ ଯିବାକୁ କହି ଘରୁ ବାହାରିଥିଲେ। ଏହା ପରେ ମୁକ୍ତିରଞ୍ଜନଙ୍କ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇପାରି ନଥିଲା। ସନ୍ଧ୍ୟା ସମୟରେ ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଥିବା ପରିବାର ଲୋକ ଖବର ପାଇଥିଲେ।

Tags: #BengaluruMahalaxmiMurderCase #DeathMistry #MuktiranjanRay #Odisha #Death #Bhadrak

LEAVE A REPLY

Please enter your comment!
Please enter your name here