ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜ ଖବରକାଗଜର ୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରବିବାର ଦିନ ‘ସମାଜ’ ପକ୍ଷରୁ ଭୁବନେଶ୍ୱରର ଡିଏଭି ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍‌)ରେ ଏହାର ଆୟୋଜନ କରାଯାଇଥିଲା। ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପିଆଇବି ଓ ଡିଏଭିପିର ପୂର୍ବତନ ପ୍ରମୁଖ ମହାନିର୍ଦେଶକ ଡକ୍ଟର ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ପ୍ରତିଯୋଗିତାରେ ୧୦ଟି ଶିକ୍ଷାନୁଷ୍ଠାନର ୪୮ ଜଣ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖବର ଲିଖନ, ଖବର ସମ୍ପାଦନା, ଅନୁବାଦ, ଶିରୋନାମା ଲିଖନ, ଫଟୋ ସମ୍ପାଦନା, ଭିଡିଓ ସମ୍ପାଦନା, ପିଟୁସି ଆଦି ପ୍ରତିଯୋଗିତା ହୋଇଥିଲା।

“ଜୀବନ ପାଇଁ ମାଧ୍ୟମ ଆବଶ୍ୟକ। ନାଗରିକ ସମାଜ, ସରକାର ଓ ବଜାର ଗଣମାଧ୍ୟମ ବିନା ଆଗକୁ ଯାଇପାରିବ ନାହିଁ। ସାମ୍ବାଦିକ ନିଜ ବୃତ୍ତି ଯୋଗୁଁ ସରକାରଙ୍କ ବିରୋଧୀ କିନ୍ତୁ ରାଷ୍ଟ୍ର ଓ ସମାଜର ବିରୋଧୀ ନୁହେଁ। ସାମ୍ବାଦିକ ହେଉଛନ୍ତି ସରକାରଙ୍କ ଜାଗ୍ରତ ପ୍ରହରୀ”, କହିଛନ୍ତି ଡକ୍ଟର ଉମାକାନ୍ତ ମିଶ୍ର।

“ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ‘ସମାଜ’ ୧୦୫ ବର୍ଷରେ ପାଦ ଦେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ଉପଲବ୍ଧି। ପାଠକଙ୍କ ବିଶ୍ଵାସକୁ ପାଥେୟ କରି ‘ସମାଜ’ ଆଗକୁ ଚାଲିଛି। ଆସ୍ଥା ଓ ବିଶ୍ଵସନୀୟତା ବଳରେ ସମାଜ ଏତେ ବର୍ଷ ତିଷ୍ଠି ପାରିଛି। ବିଶ୍ଵରେ ଏହା ବୋଧହୁଏ ଏକମାତ୍ର ଖବରକାଗଜ, ଯାହାର ଲାଭାଂଶ ସାଧାରଣ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହୋଇଥାଏ”, କହିଛନ୍ତି ଡକ୍ଟର ପ୍ରଭାସ ଆଚାର୍ଯ୍ୟ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମାଜ’ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ‘ଓଡ଼ିଶାଲାଇଭ୍‌’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ସେ ସାମ୍ବାଦିକତାର ପରିଭାଷାକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉଲ୍ଲେଖ କରିଥିଲେ।

“ସାମ୍ବାଦିକତାର ପରିଭାଷା ବ୍ୟାପକ। ଏହାକୁ ଯୋଗାଯୋଗର ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ଗଣମାଧ୍ୟମ କ୍ଷେତ୍ରରେ ନେତୃତ୍ଵ ନେବା ଭଳି ପ୍ରତିଭାର ଆବଶ୍ୟକତା ରହିଛି। ବର୍ତ୍ତମାନ ଚାକିରି ଏବଂ ସୁଯୋଗର ଅଭାବ ନାହିଁ କେବଳ ପ୍ରତିଭା‌ ପ୍ରଦର୍ଶନ କରିପାରିଲେ ସବୁ ସମ୍ଭବ ହୋଇପାରିବ। ଏବେକାର ଛାତ୍ରଛାତ୍ରୀ ନିଜକୁ ସେଭଳି ଭାବେ ପ୍ରସ୍ତୁତ କରିବା ଦରକାର। ଆମକୁ ଦକ୍ଷ ମାନବସମ୍ବଳ ବିକାଶ ଉପରେ ଗୁରୁତ୍ଵ ଦେବାକୁ ହେବ”, କହିଛନ୍ତି ନୀଳାମ୍ବର ରଥ।

କାର୍ଯ୍ୟକ୍ରମରେ ‘ସମାଜ’ର ସମ୍ପାଦକ ତପନ ମିଶ୍ର ଏହି ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଭଳି ପ୍ରତିଯୋଗିତା ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଆଗକୁ ଯିବାରେ ସହାୟକ ହେବ। ସାମ୍ବାଦିକତା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡିଏସବିଏମର ଅଧ୍ୟକ୍ଷ ଡକ୍ଟର ଦ୍ଵାରିକାନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଆକାଶବାଣୀ କଟକର ସମାଚାର ବିଭାଗ ମୁଖ୍ୟ ପ୍ରକାଶ ଦାସ, ଉପସ୍ଥାପିକା ଇତିଶ୍ରୀ ନାୟକ ଓ ଉପସ୍ଥାପିକା ଆନନ୍ଦିନୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।   

Tags: #Samaj #MediaCompetition #JournalismStudents #Odisha

LEAVE A REPLY

Please enter your comment!
Please enter your name here