ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଥର ଟେରାକୋଟା କାରୁକାର୍ଯ୍ୟରେ ଝଲସିବ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡମ। ଅନ୍ତିମ ପର୍ଯ୍ୟାୟରେ ଦୁର୍ଗାପୂଜାର ପ୍ରସ୍ତୁତି। ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଆଲୋକ ମାଳାରେ ସଜ୍ଜେଇ ହେବ ମଣ୍ଡପ।
ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ସ୍ୱାଗତ ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ଏଥର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ପାଲଟିବ ବିଶେଷ ଆକର୍ଷଣ।
୧୪୦ ଫୁଟ ଚଉଡ଼ା ଓ ୮୦ ଫୁଟ ଉଚ୍ଚତାର ପରିବେଶ ଅନୁକୂଳ ତୋରଣ ପ୍ରସ୍ତୁତ ହୋଇଛି। ଏଠାରେ ପ୍ରାୟ ୨ ହଜାର ଟେରାକୋଟା ମୂର୍ତ୍ତି ସ୍ଥାପନ ହେବେ।
ତୋରଣ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରାୟ ୪୦ ଜଣ ବଙ୍ଗୀୟ କାରିଗର। ସେହିପରି ଟେରାକୋଟା ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର କାରିଗର। ୨୦ ଫୁଟର ମେଢ଼ରେ ବିରାଜମାନ ହେବେ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି।
ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଷଷ୍ଠୀଠାରୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେବ। ଅଷ୍ଟମୀ ଦିନ ମହିଳାମାନଙ୍କ ଲାଗି ସ୍ଵତନ୍ତ୍ର ପ୍ରସାଦର ବ୍ୟବସ୍ଥା କରାଯିବ ବୋଲି ନୟାପଲ୍ଲୀ ଦୁର୍ଗାପୂଜା ସମିତି ପ୍ରତିଷ୍ଠାତା ସନାତନ ବେହେରା କହିଛନ୍ତି।
ପ୍ରତି ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ତୋରଣ ଭିତରେ ଓ ବାହାରେ ୧୦୦ରୁ ଅଧିକ ସିସିଟିଭି ଲାଗିବା ସହ ପ୍ରାୟ ୧୫୦ ସ୍ଵେଚ୍ଛାସେବୀ ନିୟୋଜିତ ହେବେ। ଶୃଙ୍ଖଳିତ ଦର୍ଶନ ପାଇଁ ସମିତି ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।
Tags: #DurgaPuja #Dasshera #DurgaPuja2024 #Odisha #NayapalliDurgaPujaPandal #Bhubaneswar