ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସରକାର ବଦଳିବା ପରେ ପରେ ବଦଳିବାକୁ ଲାଗିଛି ଅନେକ ଯୋଜନାର ନାଁ। ଏ ବଦଳିବ ସରକାରୀ କୋଠାର ରଙ୍ଗ। ସରିଛି ସବୁଜ ଯୁଗ, ଏଥର ଦେଖିବାକୁ ମିଳିବ କମଳା ରଙ୍ଗ। ରାଜ୍ୟର ସବୁ ସରକାରୀ କୋଠାର ବାହ୍ୟ କାନ୍ଥର ରଙ୍ଗର ପରିର୍ତ୍ତନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା।

ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରିଛନ୍ତି ପୂର୍ତ୍ତ ବିଭାଗର ସ୍ଵତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ। ନୂଆ ତଥା ପୁରୁଣା ସରକାରୀ କୋଠାର ରଙ୍ଗ ବଦଳାଯିବ। ସରକାରୀ କୋଠା କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ। କୋଠାର ବାହାର କାନ୍ଥ କମଳାର କରାଯିବ ଏବଂ ନାଲି ରଙ୍ଗର ବର୍ଡର ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ରାଜ୍ୟରେ ବିଜେପି ସରକାର ଆସିବାର ୩ ମାସ ମଧ୍ୟରେ ହେଇସାରିଲାଣି ଅନେକ ପରିବର୍ତ୍ତନ। ବିଜେଡି ସରକାର ସମୟରେ ସବୁଜମୟ ହୋଇଯାଇଥିବା ବିଭିନ୍ନ କ୍ଷେତ୍ରର ରଙ୍ଗ ବଦଳାଇବାକୁ ନୂଆ ସରକାର ଜୋର ସୋର ଉଦ୍ୟମ ଚଳାଇଛନ୍ତି ବୋଲି ରାଜନୈତିକ କରିଡୋରରେ ଚର୍ଚ୍ଚା ହେଉଛି।

ଗତ ଜୁଲାଇ ମାସରେ ସର୍ବ ପ୍ରଥମେ ‘ଲକ୍ଷ୍ମୀ’ ବସର ନାଁ ଏବଂ ରଙ୍ଗ ବଦଳାଇ ଥିଲେ ନୂଆ ସରକାର। ଲକ୍ଷ୍ମୀ ବସର ନାଁ ବଦଳି ହେଇଗଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’। ସବୁଜ ରଙ୍ଗରୁ ଏହି ବସ ହେଲା ଗେରୁଆ।

ଏହା ପରେ ପରେ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେପି ସରକାର।

ଯୋଜନାଗୁଡ଼ିକର ନାଁ ଏବଂ ରଙ୍ଗ ପରିର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି ଆସିଥିବା ସରକାରୀ କୋଠାଗୁଡ଼ିକର ରଙ୍ଗ ବଦଳାଇବା ନିର୍ଦ୍ଦେଶକୁ ନେଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିରୋଧୀ ବିଜେଡି।

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, “ସରକାରୀ କୋଠାଗୁଡ଼ିକର ରଙ୍ଗ ପରିବର୍ତ୍ତନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସଂକୀର୍ଣ୍ଣ ମାନସିକତାର ପରିଚୟ। ରଙ୍ଗ ବଦଳାଇ ଦେଲେ ପରିବର୍ତ୍ତନ ଆସିଯାଏନି। ରଙ୍ଗ ବଦଳାଇବା ବଦଳରେ ସରକାର ରାଜ୍ୟର ବିକାଶ କଥା ଚିନ୍ତା କରିବାର ଆବଶ୍ୟକତା ଅଧିକ ରହିଛି।”

Tags: #Politics #OdishaPolitics #BJPGovt #OdishaGovt #GovtBuildingColourchange

LEAVE A REPLY

Please enter your comment!
Please enter your name here