ଓଡ଼ିଶାଲାଇଭ୍ ବ୍ୟୁରୋ

ଶଙ୍ଖ ଭବନରେ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ବିଜେଡି ସମୀକ୍ଷା ବୈଠକ। ନେତା ନେତାଙ୍କ ଭିତରେ କଥା କଟାକଟି ଏବେ ଚର୍ଚ୍ଚାରେ। ଶାସନରେ ଥିବା ବେଳେ ବିଜେଡିରେ ସବୁକିଛି ଠିକଠାକ ଚାଲିଥିଲା। ଏବେ କ୍ଷମତାରୁ ଯିବା ପରେ ଦଳ ଭିତରେ କନ୍ଦଳ ବଢ଼ି ଯାଇଥିବା କୁହାଯାଉଛି। ପରାଜୟର କାରଣ ଖୋଜୁ ଖୋଜୁ ନେତା ନେତାଙ୍କ ଭିତରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି। ଏମିତି ଏକ ରୋଚକ ଚିତ୍ର ନିକଟରେ ଶଙ୍ଖ ଭବନରେ ବସିଥିବା ଖୋର୍ଦ୍ଧା ଜିଲ୍ଲା ବିଜେଡି ସମୀକ୍ଷା ବୈଠକରେ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନରେ ବିଜେଡିକୁ ପରାଜିତ ହେବାକୁ ପଡ଼ିଛି। ଏହାର ସମୀକ୍ଷା କରିବା ପାଇଁ ବିଭିନ୍ନ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଶଙ୍ଖ ଭବନରେ ବୈଠକ ହେଉଛି। କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚିତ ବିଧାୟକ, ବରିଷ୍ଠ ନେତା, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ।

ନିର୍ବାଚନରେ ଦଳ କହିଁକି ପରାଜିତ ହେଲା ଏବଂ ଆଗାମୀ ଦିନରେ କିପରି ଦଳକୁ ସୁଦୃଢ଼ କରାଯିବ ତାକୁନେଇ ମାନସମନ୍ଥନ ହୋଇଥିଲା। ହେଲେ ଏହି ମନ୍ଥନ ଭିତରେ ନେତା ନେତାଙ୍କ ଭିତରେ କଥା କଟାକଟି ସାମ୍ନାକୁ ଆସିଥିଲା।

ବିଜେଡିରେ କିଛି ଠିକ୍‌ ଚାଲିନି?

ଖୋର୍ଦ୍ଧା ଜିଲ୍ଲା ବିଜେଡି ସମୀକ୍ଷା ବୈଠକରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଥିଲା। ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରେ ବିଜେଡି ହାରିଲା ବୋଲି ବୈଠକରେ ମନ୍ମଥ କହିଥିବା ଚର୍ଚ୍ଚା ହେଉଛି। ହେଲେ ଏ ବିଷୟରେ ସିଧାସଳଖ କେହି କହୁ ନାହାନ୍ତି। ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ନେତାମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରୁ ଦଳରେ କିଛି ଠିକ୍‌ ଚାଲି ନଥିବା ଅନୁମାନ କରିହେଉଛି।

ଘର କଥା ବାହାରକୁ ଆସିଲା କେମିତି?

ଖୋର୍ଦ୍ଧା ଜିଲ୍ଲା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ବୈଠକରେ ବିଶୃଙ୍ଖଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ବୈଠକରେ ସୁରୁଖୁରୁରେ ସବୁ ଆଲୋଚନା ହୋଇଛି, କୌଣସି ଦଳ ବିରୋଧୀ କାର୍ଯ୍ୟ ହୋଇନି ବୋଲି ସେ କହିଛନ୍ତି। ତା’ହେଲେ ଏମିତି କଥା ବାହାରକୁ କେମିତି ଆସିଲା ଓ ଏହା ପଛର ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ସବୁଠି ଆଲୋଚନା ହେଉଛି।

କାହା ପାଟିରେ ବାଡ଼ବତା ରହୁନି

ବିଜେଡି ଏକ ଶୃଙ୍ଖଳିତ ଦଳ। ଆଗରୁ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳୁ ନଥିଲା। ଏବେ ଦଳର ନେତା ବାହାରେ ନାଁ ନ ନେଇ ପରସ୍ପର ବିରୋଧରେ ମତ ଦେଉଛନ୍ତି ଓ କଟାକ୍ଷ କରୁଛନ୍ତି। ଶ୍ରୀମୟୀ-ମନ୍ମଥ ବାହାରେ ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିଛନ୍ତି। ସୋସିଆଲ ମିଡିଆରେ ଶ୍ରୀମୟୀ ନିଜ ପାଇଁ ନିଜେ ଲଢୁଛନ୍ତି।

ମନ୍ମଥ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ମହିଳାମାନଙ୍କୁ ଆମ ଦଳ ସବୁବେଳେ ସମ୍ମାନ ଦେଇଆସିଛି। ଆମେ ମଧ୍ୟ ମହିଳାଙ୍କୁ ସମ୍ମାନ ଦେଉଛୁ। ହେଲେ ମହିଳାମାନେ ମଧ୍ୟ ପୁରୁଷଙ୍କୁ ସମ୍ମାନ ଦେବା ଦରକାର।

 ଏପଟେ ଶ୍ରୀମୟୀ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ଘର କଥା ବାହାରେ କହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ହେଲେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ କ୍ଷୋଭ ପ୍ରକାଶ କରି ରାଜନୀତିକୁ ସରଗରମ କରିଛନ୍ତି।

ଦଳୀୟ କଳିରେ ପଶୁଛନ୍ତି ବାହାର ନେତା

ବିଜେଡି କଳିରେ ବାହାର ନେତା ବି ଏଣ୍ଟ୍ରି ମାରୁଛନ୍ତି। ଶ୍ରୀମୟୀ-ମନ୍ମଥ କଳିରେ ସୁର ରାଉତରାୟ ଶ୍ରୀମୟୀଙ୍କ ବିରୋଧ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ପୁଅ ମନ୍ମଥଙ୍କ ପଟ ନେଇ ଶ୍ରୀମୟୀଙ୍କୁ ସୃପଣେଖା-ରାମଚନ୍ଦ୍ରଙ୍କ କାହାଣୀ ଶୁଣାଇଛନ୍ତି। ଏପରିକି ବ୍ୟବହାର ନ ସୁଧାରିଲେ ଛାଡ଼ିବୁନି ବୋଲି କହି ଧମକ ଦେଇଛନ୍ତି।

ଗତ କିଛି ଦିନ ଭିତରେ ବିଜେଡିରେ ଦେଖା ଦେଇଥିବା ଦଳୀୟ କନ୍ଦଳ ଥମିବାର ନାଁ ନେଉନି। ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟୁଛି ଯାହାକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ବିଶୃଙ୍ଖଳା ଦେଖିଲେ ମଧ୍ୟ ଦଳୀୟ ନେତା ଚୁପ ରହୁଛନ୍ତି। ଏତେ ବର୍ଷର ଶୃଙ୍ଖଳିତ ଦଳର ଅନୁଶାସନ ଗଲା କୁଆଡ଼େ ଓ କାହିଁକି ବରିଷ୍ଠ ନେତାମାନେ ନୀରବ ରହୁଛନ୍ତି ତାକୁ ନେଇ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୨୪ ନିର୍ବାଚନରେ ହୋଇଥିଲା କ?

୨୦୨୪ ନିର୍ବାଚନର ଦେଢ଼ ବର୍ଷ ଆଗରୁ ଖୋର୍ଦ୍ଧା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିଲେ ଶ୍ରୀମୟୀ ମିଶ୍ର। ସେ ଜିଲ୍ଲାରେ ଥିବା ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ସଙ୍ଗଠନକୁ ସୁଦୃଢ଼ କରିବା କାମରେ ଲାଗିଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ବେଶ୍‌ ସକ୍ରିୟ ଥିଲେ। ନିର୍ବାଚନରେ ତାଙ୍କୁ ଦଳ ସାଂସଦ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ଏନେଇ ଶ୍ରୀମୟୀ ଓ ତାଙ୍କ ସମର୍ଥକଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା। ହେଲେ ନିର୍ବାଚନ ସମୟରେ ଶ୍ରୀମୟୀଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ଶେଷ ମୁହୂର୍ତ୍ତରେ ଦଳରେ ଏଣ୍ଟ୍ରି ମାରିଥିଲେ ମନ୍ମଥ ରାଉତରାୟ। ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଥିଲା। ହେଲେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ମନ୍ମଥଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ସବୁଠୁ ବଡ଼ କଥା ହେଉଛି, ଏହି ନିର୍ବାଚନରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳି ନଥିଲା। ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଶ୍ରୀମୟୀ ହଠାତ ନିଷ୍କ୍ରିୟ ହୋଇଯାଇଥିଲେ। ଏବେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ଶ୍ରୀମୟୀ। ନିର୍ବାଚନ ସମୟରେ ଥିବା ଅସନ୍ତୋଷ ଏବେ ସମୀକ୍ଷା ବୈଠକରେ ଦେଖିବାକୁ ମିଳିଛି।

Tags: #Politics #OdishaPolitics #BJD #BJDConflict #odisha

LEAVE A REPLY

Please enter your comment!
Please enter your name here