ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଚଳିତବର୍ଷ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ବ୍ୟାପକ ଭାବେ ପାଳନ କରାଯିବ। ଏହି ଅବସରରେ ରାଜ୍ୟରେ ସପ୍ତାହେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
୨୦୨୪ ନଭେମ୍ବର ୧୫ ତାରିଖରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ। ଏଥର ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ଏଥିରେ ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ଵାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ କରାଯିବ।
ଏଥର ଜନ ଜାତୀୟ ଗୌରବ ଦିବସର ଉଦଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ। ଏଠାରେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ଵମାନଙ୍କୁ ସମ୍ମାନିତ କରାଯିବ। ଏହାସହ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇ ଆଦିବାସୀମାନଙ୍କୁ ଜମି ପଟ୍ଟା ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ କବି ଓ ଲେଖକମାନଙ୍କ ସମ୍ମିଳନୀ ତଥା ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍ ଇତ୍ୟାଦିର ଆୟୋଜନ କରାଯିବ।
ଚଳିତ ବର୍ଷ ଭୁବନେଶ୍ଵରରେ ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ଆୟୋଜନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #BirsaMundaJayanti #JanJatiyaGauravDivas #Odisha