ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): “ଆଗାମୀ ଦିନରେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ। ମାଓବାଦୀ ମୁକ୍ତ ହେବ ବୌଦ୍ଧ ଜିଲ୍ଲା”, ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଏହିଭଳି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ।
ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ଗ୍ରସ୍ତରେ ଆସି ମାଓବାଦୀ ପ୍ରବଣ ଥାନା, ବିଏସଏଫ ଓ ଏସଓଜି କ୍ୟାମ୍ପ କରିଦର୍ଶନ କରିଥିଲେ। ପରେ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟରେ ୫ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ କରିଥିଲେ।
ବୈଠକରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହ ଆଇଜି ଅପରେସନ ଜୟ ନାରାୟଣ ପଙ୍କଜ, ସ୍ଵତନ୍ତ୍ର ଗୁଇନ୍ଦା ବିଭାଗ ଡିଆଇଜି କନଓ୍ଵର ବିଶାଲ ସିଂ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସପି ନାଗେଶ୍ୱର ଦେବାରକୋଣ୍ଡା ଏବଂ ବିଭିନ୍ନ ଥାନାରେ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ମହାନିର୍ଦ୍ଦେଶକ ମାଓବାଦୀ ଦମନ ଏବଂ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହା ସହ ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ବୌଦ୍ଧ ଜିଲ୍ଲାପାଳ, ବନ ବିଭାଗ ଓ ଅବକାରୀ ବିଭାଗ ସହ ୱାଇ ବି ଖୁରାନିଆ ଆଲୋଚନା କରିଥିଲେ। ଗୁରୁବାର ଦିନ ପୋଲିସ ମହାନିର୍ଦ୍ଦେଶକ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ମାଓବାଦୀ ସ୍ଥିତି ସମୀକ୍ଷା କରିଥିଲେ।
Tags: #PoliceDGYBKhurania #Boudh #Maoist #AntiNaxalOperation #Odisha