ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୩ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି।

ତେବେ ସମ୍ଭାବ୍ୟ ବାତ୍ୟାଟି ଅକ୍ଟୋବର ୨୪ ତାରିଖରେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।

ସେହିପରି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। 

ତେବେ ବାତ୍ୟାର ଗତିପଥ କ’ଣ ରହିବ ଏବଂ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନାହିଁ। ଲଘୁଚାପଟି ଅବପାତରେ ପରିଣତ ହେବାପରେ ଏନେଇ ଅଧିକ ଆକଳନ କରାଯାଇପାରିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବିଷୟରେ ଆଗକୁ ସୂଚନା ଦିଆଯିବ।

ଅନ୍ୟପଟେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାମ ‘ଦାନା’ ରହିବ। ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିଝଡ଼ର ନାମ ତାଲିକା ଅନୁସାରେ ଏହି ନାମ ଦିଆଯିବ। କାତାର ପକ୍ଷରୁ ଏହି ନାମକରଣ କରାଯାଇଛି। ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବୋଲି କୁହାଯାଏ।  

Tags: #LowPressure #Cyclone #Rainfall #IMD #MCBBSR #Odisha

LEAVE A REPLY

Please enter your comment!
Please enter your name here