ଓଡ଼ିଶାଲାଇଭ୍ ବ୍ୟୁରୋ

୫ ବର୍ଷ ପାଇଁ ପ୍ରକଳ୍ପ ଖର୍ଚ୍ଚର ବଳକା ୧ ପ୍ରତିଶତ ଅର୍ଥ ବ୍ୟାଙ୍କରେ ଜମା ରଖିବେ ବିଲ୍ଡର।

ଓଡ଼ିଶାରେ ରେରା ନିୟମରେ ସଂଶୋଧନ ହୋଇଛି। ଏବେ ୭୦ ପ୍ରତିଶତ ରେରା ସ୍ଵୀକୃତିପ୍ରାପ୍ତ ବ୍ୟାଙ୍କ ଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ବଳକା ୧ ପ୍ରତିଶତ ଅର୍ଥ। ପ୍ରକଳ୍ପରେ ଆବଶ୍ୟକୀୟ ମରାମତି ଉଦ୍ଦେଶ୍ୟରେ ୫ ବର୍ଷ ପାଇଁ ବିଲ୍ଡରମାନେ ଏହି ଟଙ୍କା ମହଜୁଦ ରଖିବେ। ଆକାଉଣ୍ଟରେ ଅଧିକ ଅର୍ଥ ଥିଲେ, ତାହାକୁ ଉଠାଇପାରିବେ ବିଲ୍ଡର। ଏନେଇ ଓଡ଼ିଶା ରିଅଲ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷଙ୍କ (ଓରେରା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ରିଅଲ ଇଷ୍ଟେଟ୍ ସଂଘର ଦାବି ପରେ ଓରେରା ପକ୍ଷରୁ ନିୟମକୁ କୋହଳ କରାଯାଇଛି। ନୂଆ ନିୟମରେ ବିଲ୍ଡରମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଏହାକୁ ନେଇ ସେମାନେ ଆଶ୍ଵସ୍ତ ହୋଇଛନ୍ତି।

୨୦୨୪ ଜୁଲାଇ ମାସରେ ଓରେରା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ପାଇବା ଲାଗି ବିଲ୍ଡରମାନଙ୍କ ପାଇଁ ୬ଟି ସର୍ତ୍ତ ରଖାଯାଇଥିଲା। ସେମାନେ ଗୃହ କ୍ରେତାଙ୍କୁ ପ୍ରକଳ୍ପ ଅକ୍ୟୁପାନ୍ସି ପ୍ରମାଣପତ୍ର ଦେବେ, ବାସଗୃହ କ୍ରେତା ସଂଘ ଗଠନ, ସଂଘ ନାମରେ କମନ୍ ଏରିଆ ହସ୍ତାନ୍ତର, କମନ ଏରିଆ ହସ୍ତାନ୍ତର ଡିଡ୍, ଗୃହକ୍ରେତା ସଂଘକୁ ବକେୟା ପାଣ୍ଠି ହସ୍ତାନ୍ତର ଭଳି ଡକ୍ୟୁମେଣ୍ଟ ଦାଖଲ କରିବା ନେଇ ନିୟମରେ ଉଲ୍ଲେଖ ରହିଥିଲା। ଏହାସହ ୭୦ ପ୍ରତିଶତ ରେରା ସ୍ଵୀକୃତିପ୍ରାପ୍ତ ଆକାଉଣ୍ଟରେ ପ୍ରକଳ୍ପ ଖର୍ଚ୍ଚର ବଳକା ଥିବା ସମସ୍ତ ଅର୍ଥ ୫ ବର୍ଷ ଲାଗି ସିକ୍ୟୁରିଟି ମନି ଭାବେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ବଳକା ଥିବା ସବୁ ଅର୍ଥ ସିକ୍ୟୁରିଟି ଭାବେ ଜମା ରଖିବାକୁ ବିରୋଧ କରିଥିଲା ରାଜ୍ୟ ରିଅଲ ଇଷ୍ଟେଟ୍ ସଂଘ। ଏଥିରେ ସଂଶୋଧନ କରିବା ପାଇଁ ଓରେରାଙ୍କ ନିକଟରେ ସଂଘ ପକ୍ଷରୁ ଆବେଦନ କରାଯାଇଥିଲା।

Tags: #RERAAct #Realestate #Builders #HomeBuyers #ORERA #Odisha

LEAVE A REPLY

Please enter your comment!
Please enter your name here