ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି।

ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ରହିଥିବା ଲୋକଙ୍କୁ ତୁରନ୍ତ ଘର ଛାଡ଼ି ଆଶ୍ରୟସ୍ଥଳୀ ଆସିବାକୁ ଅପିଲ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।

“ବାତ୍ୟା ଲ୍ୟାଣ୍ଡଫଲ କରିବାର ଆଗାମୀ ୪୮ ଘଣ୍ଟା ଆମ ପାଇଁ ଖୁବ ଗୁରୁତ୍ଵପୂର୍ଣ୍ଣ ରହିବ। ଓଡ଼ିଶା ଅନେକ ବାତ୍ୟା ଦେଖିଛି ଏବଂ ତା’ର ମୁକାବିଲା ମଧ୍ୟ କରିଛି। ବାତ୍ୟାକୁ ନେଇ କେହି ଆତଙ୍କିତ ହୁଅନ୍ତୁ ନାହିଁ”, କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ ଆହୁରି କହିଛନ୍ତି ବାତ୍ୟା ପ୍ରଭାବିତ ଆଶଙ୍କା ରହିଥିବା ଜିଲ୍ଲାଗୁଡ଼ିକର ଗ୍ରାଉଣ୍ଡରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୋଟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅନେକ ଲୋକ ଘରଛାଡ଼ି ଆଶ୍ରୟ ସ୍ଥଳକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ସେମାନଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳୀକୁ ଆଣିବାକୁ ଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ମୋଟ ୬ ହଜାର ୫ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ରନ୍ଧାଖାଦ୍ୟ, ଔଷଧ ଏବଂ ପାନୀୟ ଜଳ ଆଦିର ସୁବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଆଶଙ୍କା ରହିଥିବା ଗାଁଗୁଡ଼ିକୁ ଖାଲି କରାଯିବା ସହ ଗାଁରେ ପେଟ୍ରୋଲିଂ କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ମହିଳା ପୋଲିସ ନିଯୁକ୍ତ ରହିଛନ୍ତି।

Tags: #Cyclone #Dana #Depression #Rainfall #IMD #MCBBSR #Odisha #CycloneUpdates #SureshPujari

LEAVE A REPLY

Please enter your comment!
Please enter your name here