ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳକୁ ପାଖେଇ ଆସୁଛି ଭୀଷଣ ବାତ୍ୟା ‘ଦାନା’। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କରିଥିବା ବ୍ୟାପକ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ରାତିରେ ସେ ଭୁବନେଶ୍ଵରସ୍ଥିତ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ଆସି ବିଭିନ୍ନ ବ୍ୟବସ୍ଥାର କାର୍ଯ୍ୟକାରିତା ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ବାତ୍ୟା ପାଇଁ ଭୟଭୀତ ନହେବା ପାଇଁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

“ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା କରିଛୁ। ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୮୩୮୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଭଦ୍ରକରେ ୭୫ ହଜାର, ମୟୂରଭଞ୍ଜରେ ୧ ଲକ୍ଷ, ଯାଜପୁରରେ ୬୦ ହଜାର, କେନ୍ଦ୍ରାପଡ଼ାରେ ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ୪,୪୩୧ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି। ଏହାସହ ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ କାର୍ଯ୍ୟ ଓ ଭିତ୍ତିଭୂମି ସୁଧାରିବା ପାଇଁ ଯୋଜନା କରାଯାଇଛି।”

ତେବେ ବାତ୍ୟାଟି ନିଜର ଦିଗ ବଦଳାଇ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ଥିବାରୁ ଢେଙ୍କାନାଳ ଓ ଅନୁଗୁଳ ଭଳି ଜିଲ୍ଲାକୁ ଆଲର୍ଟରେ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭୀଷଣ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ବାତ୍ୟାଟି ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଅଭିମୁଖେ ଆସୁଛି। ଏବେ ଭିତରକନିକା ଓ ଧାମରା ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଶୁକ୍ରବାର ସକାଳ ଯାଏଁ ଚାଲିବ।

Tags: #CycloneDana #Rainfall #Reliefwork #CMMohanCharanMajhi #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here