ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ପରବର୍ତ୍ତୀ ସମୟରେ ଓଡ଼ିଶାରେ ଆରମ୍ଭ ହୋଇଛି ଟ୍ରେନ ଚଳାଚଳ। ତେବେ ଏହା ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇନାହିଁ। ବାତ୍ୟା ପାଇଁ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ଯାଉଥିବା ୨୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଥିଲା। ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲୁଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ସକାଳେ ବିଶାଖାପାଟଣା ପଟୁ ଡାଉନ୍ ଟ୍ରେନ ଭୁବନେଶ୍ଵର ଓ ହାଓ୍ୱଡାକୁ ଚାଲିଛି। ସେହିପରି ଖଡଗପୁର ପଟୁ ଓଡ଼ିଶା ଅଭିମୁଖେ କିଛି ଟ୍ରେନ ଚାଲିଛି। ଏହାସହ ପୁରୀ ଓ ଭୁବନେଶ୍ୱର ରେଳ ଷ୍ଟେସନରୁ ପୂର୍ବରୁ ବାତିଲ୍ ହୋଇନଥିବା ଟ୍ରେନଗୁଡ଼ିକ ଗଡ଼ିବା ଆରମ୍ଭ କରିଛି।
ତେବେ ଶୁକ୍ରବାର ୫୪ଟି ଟ୍ରେନ୍ ବାତିଲ୍ ରହିବ। ଏହାସହ ଶନିବାର ୧୦ଟି ଏବଂ ୨୭ ଓ ୨୯ ତାରିଖରେ ୩ଟି ଟ୍ରେନ୍ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାତ୍ୟା ‘ଦାନା’ ଯୋଗୁଁ ନିର୍ଗୁଣ୍ଡି-ଭଦ୍ରକ, ଯଖପୁରା-ଜାରୋଳି, ହରିଦାସପୁର-ପାରାଦୀପ ଓ କଟକ-ପାରାଦୀପ ରେଳ ଲାଇନରେ ହୋଇଥିବା କ୍ଷୟକ୍ଷତିର ମରାମତି କରାଯାଇଛି। ଖୁବଶୀଘ୍ର ସବୁ ରୁଟରେ ଟ୍ରେନ ଚଳାଚଳ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
Tags: #CycloneDana #Rainfall #TrainServices #EastCoastRailways #Odisha