ମିନତି ମିଶ୍ର

ଭାରତୀୟ ବିମାନକୁ ବୋମା ଧମକ କମିବାର ନାଁ ନେଉନି। ପ୍ରତିଦିନ ବୋମା ଧମକ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ନାକେଦମ କରି ଦେଲାଣି। ବିମାନ କମ୍ପାନିର ଆର୍ଥିକ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ଗୁରୁବାର ପୁଣି ଭାରତର ବିଭିନ୍ନ ଏୟାରଲାଇନ୍ସର ୯୫ଟି ବିମାନକୁ ମିଳିଥିଲା ବୋମା ଧମକ। ଏପରିକି ଓଡ଼ିଶାର ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ଏହିପରି ବୋମା ଧମକ ଆସିବା ପରେ ଖେଳି ଯାଇଥିଲା ଆତଙ୍କ।

ଗୁରୁବାର ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା ଏୟାରଲାଇନ୍ସର ୨୦ଟି ଲେଖାଏଁ ଏବଂ ଆକାଶା ଏୟାରକୁ ୨୫ଟି ବୋମା ଧମକ ମିଳିଥିଲା। ଏଥିସହିତ ସ୍ପାଇସ ଜେଟ୍, ଆଲାଏନ୍ସ ଏୟାର ବିମାନକୁ ବି ବୋମାରେ ଉଡେଇ ଦେବା ଧମକ ମିଳିଥିଲା। ଏହାପରେ ସବୁ ବିମାନର ଯାଞ୍ଚ କରାଯାଇଥିଲା। ଦିଲ୍ଲୀ ପୋଲିସ ଏ ନେଇ ୮ଟି ମାମଲା ରୁଜୁ କରିଛି।

ଗୁରୁବାର ଅପରାହ୍ନ ସାଢ଼େ ୨ଟା ବେଳେ ଭୁବନେଶ୍ୱର ବିମାନ କର୍ତ୍ତୃପକ୍ଷଙ୍କୁ ଫୋନ ଆସିଥିଲା ଯେ, ବେଙ୍ଗାଲୁରରୁ ଆସୁଥିବା ଏକ ବିମାନରେ ବୋମା ଖଞ୍ଜା ଯାଇଛି। ଏହା ପରେ ବୋମା ନିଷ୍କ୍ରିୟକାରୀ ଟିମ, ସିଆଇଏସଏଫ ଟିମ, ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡର ୨୭ ଜଣ ଯବାନ ସତର୍କ ହୋଇ ପଡିଥିଲେ।

ଏୟାର ଆକାଶର ଏହି ବିମାନଟି ଭୁବନେଶ୍ୱର ଏୟାର ପୋର୍ଟରେ ଲାଗିବା ପରେ ତନତନ ତଦନ୍ତ କରାଯାଇଥିଲା। ହେଲେ ଏହି ସୂଚନା ମିଛ ଥିବା ଜଣାପଡିଥିଲା। ପରେ ଯାତ୍ରୀ ଆଶ୍ୱସ୍ତ ହୋଇଥିଲେ ।

ସେହିପରି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ମଧ୍ୟ ମିଳିଥିଲା ବୋମା ଧମକ। ବେଙ୍ଗାଲୁରରୁ ଝାରସୁଗୁଡା ଆସୁଥିବା ଇଣ୍ଡିଗୋ ବିମାନ ମଧ୍ୟାହ୍ନ ୧୨ଟା ୪୦ରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସ ଡଗ୍ ସ୍କ୍ୱାଡ୍ ଏବଂ ବୋମା ଚିହ୍ନଟ ଯନ୍ତ୍ର ଯୋଗେ ଯାଞ୍ଚ କରିଥଲେ। ହେଲେ କିଛି ମିଳି ନ ଥିଲା । ଏହା ମଧ୍ୟ ଗୁଜବ ଥିବା ଜଣାପଡିଥିଲା ।

ତଥ୍ୟରୁ ଜଣାପଡିଛି, ଅଧିକାଂଶ ଧମକ ଗୋଟିଏ ଏକ୍ସ ଆକାଉଣ୍ଟରୁ ଆସିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଉଡୁଙ୍କ କହିବା ଅନୁଯାୟୀ, ଯେଉଁ ସୋସିଆଲ ମିଡିଆ ଓ ସାଇବର ଚାନେଲରୁ ଏହି ଧମକ ଆସୁଛି ତାହାର ଆଇପି ଆଡ୍ରେସ ବିଦେଶ ରାଷ୍ଟ୍ରରେ ରହିଛି। ତେଣୁ ତଦନ୍ତ ପ୍ରକ୍ରିୟା ଜଟିଳ ହୋଇପଡୁଛି।

ଗୁରୁବାରକୁ ମିଶାଇ ଗତ ୧୧ ଦିନ ମଧ୍ୟରେ ଭାରତର ୨୫୫ରୁ ଅଧିକ ବିମାନକୁ ବୋମା ଧମକ ମିଳିଲାଣି। ଏଥିଯୋଗୁ ବିମାନ କମ୍ପାନିଗୁଡ଼ିକୁ ୧୫୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଲାଣି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ତଥାପି ଧମକ ମିଳୁଛି। ଯାତ୍ରୀଙ୍କ ମଧ୍ୟରେ ଭୟ ମଧ୍ୟ ବଢୁଛି। 

Tags: #BombThreat #Airlines #Passengers #DGCA #India

LEAVE A REPLY

Please enter your comment!
Please enter your name here