ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ। ମଙ୍ଗଳବାର ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଶାରୀରିକ ଭିନ୍ନକ୍ଷମ ଓ ଅସ୍ଥିସ୍ନାୟୁ ବ୍ୟାଧି ପୀଡ଼ିତମାନଙ୍କୁ କ୍ରିୟାଶୀଳ, ସ୍ଵାବଲମ୍ବୀ ଓ ସର୍ଜନଶୀଳ କରିବା ଉଦ୍ଦେଶ୍ୟରେ ଏହି ଦିବସଟିକୁ ପ୍ରତିବର୍ଷ ନଭେମ୍ବର ୫ ପାଳନ କରାଯାଉଛି। ଏହି ଅବସରରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ସହାୟକ ଉପକରଣ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥାଏ।
ଚଳିତ ବର୍ଷ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ ଅବସରରେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ସାମିଲ ହୋଇଥିଲେ।
“ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଲୋକଙ୍କଠାରେ ଅଙ୍ଗ ପ୍ରତ୍ୟାରୋପଣ କରାଯାଇପାରୁଛି। ଏହା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ବରଦାନ ସ୍ୱରୂପ। ସେମାନଙ୍କୁ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବାରେ ସହାୟକ ହେଉଛି। ଏ ବିଷୟରେ ସମସ୍ତେ ସଚେତନ ହେବା ଜରୁରୀ”, କହିଛନ୍ତି ସୁରେଶ ପୂଜାରୀ।
ଏହି କାର୍ଯ୍ୟକ୍ରମରେ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ କ୍ଷେତ୍ରରେ ସଫଳତା ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ଓ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ନିଜର ସଂଘର୍ଷ ଓ ସଫଳତାର ଅନୁଭୂତି ବ୍ୟକ୍ତ କରିଥିଲେ।
ଭାରତୀୟ ଅର୍ଥୋଟିକ ଓ ପ୍ରୋସ୍ଥେଟିକ ସଂଘର ଓଡ଼ିଶା ଶାଖା, ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥା ଓଲଟପୁର ଓ ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱର ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ।
ଏଥିରେ ପାରା ଅଲିମ୍ପିଆନ ପଦ୍ମଶ୍ରୀ ପ୍ରମୋଦ ଭଗତ, ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ପତିତପାବନ ମହାନ୍ତି, ବୈଷୟିକ ଉପନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାପାତ୍ର ଓ ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡାକ୍ତର ପ୍ରଭାଶ ଚନ୍ଦ୍ର ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
Tags: #InternationalProstheticsandOrthoticsDay #Prosthetics #Orthotics #HealthCare #Bhubaneswar