ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାହାରିନ ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ଏହି ପର୍ବକୁ ପାରମ୍ପରିକ ରୀତିନୀତି ସହିତ ବାହାରିନରେ ରହୁଥିବା ଓଡ଼ିଆମାନେ ପାଳନ କରିଛନ୍ତି। ମାନାମାର ସମୁଦ୍ର କୂଳରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବାହାରିନ ଓଡ଼ିଆ ସାମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆ ଆନନ୍ଦ ଉଲ୍ଲାସର ସହିତ ଆ-କା-ମା-ବୈ ଲୋକଗୀତ ଗାଇ ସମୁଦ୍ରରେ ବୋଇତ ବନ୍ଦାଣ କରିଥିଲେ। ବୋଇତରେ କଦଳୀପତ୍ର, ପାନ, ଗୁଆ, ଫୁଲ, ଧୂପ ଆଦି ଥୋଇ ଏହାକୁ ଭଲ ଭାବେ ସଜା ଯାଇଥିଲା।
“ଅତୀତର ଓଡ଼ିଆ ପୁଅ ବିଭିନ୍ନ ଦ୍ରବ୍ୟ ନେଇ ସୁଦୂର ବାଲି, ବୋର୍ଣ୍ଣିଓ, ଜାଭା, ସୁମାତ୍ରା ଆଦି ଦ୍ଵୀପରେ ବାଣିଜ୍ୟ କରି ଧନ ରତ୍ନ ନେଇ ଆସୁଥିଲେ। ହେଲେ ଆଜିର ସମୟ ବଦଳିଛି। ଏହି ବାଣିଜ୍ୟ ପରମ୍ପରାର କେବଳ ସ୍ମୃତି ଚାରଣ ନକରି ବର୍ତ୍ତମାନର ବିଶ୍ୱ ବାଣିଜ୍ୟ ମାନଚିତ୍ରରେ ଓଡ଼ିଆ ପୁଅ ଓ ଝିଅମାନେ ନିଜ ଉତ୍ପାଦ ଓ ସେବାର ବିସ୍ତାର କରିବେ ବୋଲି ମୋର ଆଶା”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ
ଏହି ସମୟରେ ପ୍ରବାସୀ ଓଡ଼ିଆମାନେ ଜୟ ଜଗନ୍ନାଥ ଓ ବନ୍ଦେ ଉତ୍କଳ ଜନନୀ ନାରା ଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ବୋଇତ ବନ୍ଦାଣର ଦୃଶ୍ୟକୁ ବିଦେଶୀ ପର୍ଯ୍ୟଟକମାନେ ଆନନ୍ଦରେ ଉପଭୋଗ କରୁଥିବା ଦେଖାଯାଇଥିଲା।
Tags: #KartikaPurnima #Boitabandan #Festival #PrabasiOdia #BahrainOdiaSamaj #Manama #Bahrain