ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କଟକର ପୂର୍ବତନ ବିଧାୟକ ସମୀର ଦେ’ଙ୍କ ପରଲୋକ ଘଟିଛି। ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କଟକ ବିଧାନସଭା ଆସନରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ସମୀର ଦେ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ସେ ନିମୋନିଆ, କିଡନୀ ଓ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ। କିଛିଦିନ ତଳେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।  

ସମୀର ଦେ’ଙ୍କ ବିୟୋଗରେ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକମାନେ ସମୀର ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମୀର ଦେ’ ଅନେକ କମ ବୟସରୁ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୯୫ ମସିହାରେ କଟକ ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ ୧୯୯୫ରୁ ୨୦୦୯ ମସିହା ଯାଏଁ ଲଗାତର ୩ ଥର କଟକର ବିଧାୟକ ରହିଥିଲେ।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ। ଏହାପରେ ୨୦୦୪ ମସିହାରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ। ରାଜନୀତିରେ ରହିବା ସହ ସେ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ।

Tags: #SamirDey #FormerMinister #Politician #Politics #Cuttack #Odisha

LEAVE A REPLY

Please enter your comment!
Please enter your name here