ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସ ହେଲା ଦରମା ପାଇ ନାହାନ୍ତି ମିଶନ ଶକ୍ତି ମହିଳା। ଏହା ପ୍ରତିବାଦରେ ଭୁବନେଶ୍ଵର ଲୋୟର ପିଏମଜିଠାରେ ସୋମବାରଠାରୁ ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର ମିଶନ ଶକ୍ତି କର୍ମୀ।
ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଧାନସଭା ଉଠୁଛି ପଡ଼ୁଛି। ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେଡି। ବିଜେଡି ସହ ସ୍ୱର ମିଳାଇଛି କଂଗ୍ରେସ।
ଦୁଇଦିନ ଧରି ଲୋୟର ପିଏମଜିଠାରେ ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା। ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବାରେ ୬୦ ହଜାର ମିଶନ ଶକ୍ତି ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।
ଧାରଣାରେ ବସିଥିବା ମିଶନ ଶକ୍ତି ମହିଳାଙ୍କ କହିବା ଅନୁସାରେ ବିଜେଡି ସରକାର ଅମଳରେ ସେମାନେ ତିନି ମାସର ଦରମା ପାଇନାହାନ୍ତି। ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଦରମା ମିଳିନାହିଁ। ଫଳରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ୬ଟି ବିଭାଗ ଯଥା ବ୍ୟାଙ୍କ ମିତ୍ର, ଏମବିକେ, ଏଲଏସପି, ସିଆରପି, କୃଷିମତ୍ର ଏବଂ ପ୍ରାଣୀ ମିତ୍ର ସଂଘର କର୍ମୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।
୯ ମାସର ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଏବଂ ୫୦ ପ୍ରତିଶତକୁ ଉଚ୍ଛେଦ କରି ୧୦୦ ପ୍ରତିଶତ ପାରିଶ୍ରମିକ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଏହା ସହ ସମସ୍ତ ୬ଟି ସଂଘର କର୍ମଚାରୀଙ୍କୁ ଇପିଫଏ, ଇଏସଆଇରେ ସାମିଲ ଆଦି ୧୦ ଦଫା ଦାବି ନେଇ ଆନ୍ଦୋନଳକୁ ଓହ୍ଲାଇଛନ୍ତି ମିଶନ ଶକ୍ତି ମହିଳାମାନେ।
ସୋମବାର ଦିନ ବିଧାନସଭାରେ ବିଜେଡି ବିଧାୟକ ଡକ୍ଟର ବ୍ୟୋମକେଶ ରାୟ ଓ ଗୌତମ ବୁଦ୍ଧ ଦାସ ମିଶନ ଶକ୍ତି ମହିଳାଙ୍କୁ ବକେୟା ଦରମା ପ୍ରଦାନ ପାଇଁ ଦାବି କରିବା ସହ କହିଛନ୍ତି “ବିଜେପି ସରକାର ପାଇଁ ଅସହାୟ ହୋଇପଡ଼ିଛନ୍ତି ହଜାର ହଜାର ମହିଳା।”
ଏହାକୁ ନେଇ ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ବିଧାୟକ ମାନସ ଦତ୍ତ ଏବଂ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଗତ ଏପ୍ରିଲ ମାସରୁ ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତି ଶେଷ ହୋଇଛି। ପୂର୍ବ ସରକାର ଚୁକ୍ତି ନବୀକରଣ ପାଇଁ କାହିଁକି ପଦକ୍ଷେପ ନେଲେନି ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି।
ଏପଟେ ମିଶନ ଶକ୍ତି ମହିଳାଙ୍କ ସମର୍ଥନରେ ବିଜେଡି ନେତା ଓ କର୍ମୀ ଧାରଣାସ୍ଥଳରେ ବସିଥିବାବେଳେ ମଙ୍ଗଳବାର ସେମାନଙ୍କୁ ସମର୍ଥନ ଦେଇଛି କଂଗ୍ରେସ।
ମିଶନ ଶକ୍ତି ମହିଳା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଝଡ଼ ଉଠିଛି। ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ମହିଳାଙ୍କ ସମର୍ଥନରେ ରହିଛି ବୋଲି ସେ କହିଛନ୍ତି।
ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ସରକାର ପରିବର୍ତ୍ତନ ଆଣିବେ ବୋଲି କହୁଥିଲେ। ଏବେ କ’ଣ କରୁଛନ୍ତି? ମିଶନ ଶକ୍ତି ମହିଳାଙ୍କୁ ଦରମା ନଦେବା ପାଇଁ କିଏ ମନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏ ପଟେ କାହା କଥାରେ ପ୍ରଭାବିତ ନହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅପିଲ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁଛନ୍ତି। ତୁରନ୍ତ ଏହା ଉପରେ ନିଷ୍ପତ୍ତି ନିଆଯିବ।
Tags: #MissionShakti #Protest #MissionShaktiWomen #Bhubaneswar #OdishaGovt