ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲ୍ ଗଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ପୁଷ୍ପା-୨ର ସ୍ଵତନ୍ତ୍ର ସ୍କ୍ରିନିଂ ବେଳେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିଲା। ଏବେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ନାମପଲ୍ଲୀ କୋର୍ଟ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଛି।
ଅନ୍ୟ ପକ୍ଷରେ ଏହି ମାମଲାର ଜରୁରୀ ଶୁଣାଣି କରିବା ପାଇଁ ତେଲଙ୍ଗାନା ହାଇକୋର୍ଟରେ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଛି।
ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ହଲରେ ପୁଷ୍ପା-୨ର ସ୍ଵତନ୍ତ୍ର ସ୍କ୍ରିନିଂ ସମୟରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ପ୍ରିମିୟରରେ ପହଞ୍ଚିଥିଲେ। ଏକଥା ଜାଣିବା ପରେ ଭିଡ଼ ଆହୁରି ବଢ଼ି ଯାଇଥିଲା।
ଅଲ୍ଲୁ ଅର୍ଜୁନ ଯେତେବେଳେ ଫ୍ୟାନ୍ସଙ୍କ ସହ ମିଶିବାକୁ ଆସିଲେ ସେତେବେଳେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ ଭିତରେ ଫସି ଯାଇଥିଲେ ରେବତୀ ନାମକ ମହିଳା ଓ ତାଙ୍କ ନିଜ ପୁଅ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ।
ଦଳାଚକଟାରେ ଉଭୟଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ଅଲ୍ଲୁ ଅର୍ଜୁନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଜଣେ ସୁପରଷ୍ଟାର ଭାବେ କୌଣସି ପବ୍ଲିକ ପ୍ଲେସକୁ ଯିବା ପୂର୍ବରୁ ପୋଲିସ ସୂଚନା ନଦେବା କାରଣରୁ ଏହିଭଳି ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶୁକ୍ରବାର ସକାଳେ ଆଲ୍ଲୁ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ।
ଏ ପଟେ ଅଲ୍ଲୁ ଅର୍ଜୁନଙ୍କ ଓକିଲ କହିଛନ୍ତି, ପ୍ରିମିୟରରେ ଯୋଗ ଦେବା ପୂର୍ବରୁ ପୋଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ପରିସ୍ଥିତି ସୀମା ବାହାରକୁ ଚାଲିଯାଇଥିବାରୁ ପୋଲିସ ନିଜ ଉପରୁ ସବୁ ଦୋଷ ଛଡ଼ାଇ ଦେଇଛି ବୋଲି ସେ କହିଛନ୍ତି। ଯଦି ଅଲ୍ଲୁ ଅର୍ଜୁନ ପୂର୍ବରୁ ପୋଲିସକୁ ନିଜ ଗସ୍ତ ସମ୍ପର୍କରେ ସୂଚନା ଦେବା କଥା ସତ ହୋଇଥାଏ ତେବେ ଏହି ଘଟଣା ଭିନ୍ନ ମୋଡ଼ ନେବାର ସମ୍ଭାବନା ରହିଛି।
Tags: #Pushpa-2 #Jail #AlluArjun #Premiere #Stampede #Hyderabad #Death