ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଘଟିଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ଏକ ଗ୍ୟାସ ଟ୍ୟାଙ୍କର ଓ ଟ୍ରକ ମଧ୍ୟ ଧକ୍କା ହେବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୨୪ ଜଣ ଗୁରୁତର ଆହତ ହୋଇଥିବାବେଳେ ରାସ୍ତାରେ ପ୍ରାୟ ୪୦ଟି ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ସକାଳରେ ଜୟପୁର-ଅଜମେର ଏକ୍ସପ୍ରେସୱେରେ ଏଲପିଜି ଟ୍ୟାଙ୍କର ଓ ଅନ୍ୟ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ୟାଙ୍କରକୁ ଧକ୍କା ଦେଇଥିବା ଟ୍ରକରେ ରାସାୟନିକ ପଦାର୍ଥ ଭର୍ତ୍ତି ହୋଇଥିଲା। ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏଲପିଜି ଟ୍ୟାଙ୍କରଟି ରାସ୍ତାରେ ଭୁଲ ଦିଗରୁ ଆସୁଥିଲା ବୋଲି ସେମାନେ କହିଛନ୍ତି।
ଏହି ଦୁର୍ଘଟଣାଟି ଏତେ ଭୟାନକ ଥିଲେ ଯେ, ଏହି ରାସ୍ତାରେ ସକାଳୁ ସକାଳୁ ଦ୍ରୁତ ଗତିରେ ଆସୁଥିବା ଗାଡି ଗାଡ଼ିଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଅନେକ ଲୋକ ଏହି ନିଆଁରେ ଜଳି ଯାଇଥିଲେ। ଏହାସହ ରାସ୍ତାକଡ଼ରେ ଥିବା କିଛି ଗାଡ଼ି ମଧ୍ୟ ଜଳି ଯାଇଥିଲା।
ଦୁଇଟି ଇନ୍ଧନ ଥିବା ଗାଡ଼ିରେ ନିଆଁ ଲାଗିଯିବାରୁ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା। ୨୦ରୁ ୨୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଲଗାତାର ବିସ୍ଫୋରଣ ହେଉଥିବାରୁ ନିଆଁକୁ ଆୟତ୍ତ କରିବା ଖୁବ କଷ୍ଟକର ଥିଲା। ତଥାପି ଅଢେଇ ଘଣ୍ଟା ପରିଶ୍ରମ କରିବା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଏଥିସହ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ ରାଜ୍ୟର କିଛି ମନ୍ତ୍ରୀଙ୍କ ସହ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତ ଅନୁଧ୍ୟାନ କରିଥିଲେ।
Tags: #RoadAccident #Death #Jaipur #Rajasthan