ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଚୀନ ସମ୍ପର୍କରେ ଏବେ ସୁଧାର ଆସୁଛି। ଅତୀତର ଶତ୍ରୁତାକୁ ଭୁଲି ଏବେ ଦୁଇ ଦେଶ ବନ୍ଧୁତା ଆଡ଼କୁ ମୁହାଁଉଛନ୍ତି। ଏସିଆର ଦୁଇ ଶକ୍ତିଶାଳୀ ଦେଶ ଏବେ ଏକାଠି ବସି ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ବାଟ ଖୋଜୁଛନ୍ତି। ଏବେ ଚୀନର ସ୍ୱରରେ ପରିବର୍ତ୍ତନର ପରିଭାଷା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭବ୍ୟ ସ୍ଵାଗତ କରିଛି ଚୀନ।

ଏନଏସଏ ଅଜିତ ଡୋଭାଲ ଦୁଇ ଦିନିଆ ବେଜିଂ ଗସ୍ତରେ ଯାଇଥିଲେ। ଏଠାରେ ବୁଧବାର ଭାରତ-ଚୀନ ପ୍ରତିନିଧିସ୍ତରୀୟ ବୈଠକ ହୋଇଥିଲା। ଏହି ଅବସରରେ ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ସମେତ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଗତ କିଛି ସମୟ ହେବ ଭାରତ ପ୍ରତି ଚୀନର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଉଛି। ଶାନ୍ତି ପ୍ରସ୍ତାବକୁ ନେଇ ଚୀନର ସକାରାତ୍ମକ ମନୋଭାବ ସ୍ପଷ୍ଟ ହେଉଛି। ରୁଷରେ ବ୍ରିକ୍ସ ସମ୍ମିଳନୀ ସମୟରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତରେ ମଧ୍ୟ ଏମିତି ଭାବ ଦେଖିବାକୁ ମିଳିଥିଲା। ଆଉ ଏବେ ଅଜିତ ଡୋଭାଲ ଚୀନରେ ପହଞ୍ଚିବା ପରେ ଚୀନର ସାଦର ଅଭ୍ୟର୍ଥନା ମଧ୍ୟ ଏମିତି କିଛି ସଙ୍କେତ ଦେଉଛି।

ଦୁଇ ପକ୍ଷ ଆଲୋଚନା ପୂର୍ବରୁ ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଲିନ ଜିୟାନ କହିଥିଲେ, “ଚୀନ ଭାରତ ସହ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ କରିବା ପାଇଁ ଆଗ୍ରହୀ। ମତଭେଦକୁ ଦୂର କରିବା ପାଇଁ ଆମେ ଭାରତ ସହ କାମ କରିବାକୁ ପ୍ରସ୍ତୁତ ଅଛୁ। ଚୀନ ପରସ୍ପରର ହିତ ଏବଂ ସମସ୍ୟାକୁ ସମ୍ମାନ କରେ। ଆଲୋଚନା ମାଧ୍ୟମରେ ପରସ୍ପର ମଧ୍ୟରେ ଥବା ମତଭେଦକୁ ଦୂର କରାଯିବ।”

ଚୀନର ଆଭିମୁଖ୍ୟ ପରିବର୍ତ୍ତନ ପଛରେ କିଏ? 

ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଚୀନ ବିରୋଧରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୂର୍ବାନୁମାନ କରାଯାଉଛି। ସେ ଚୀନ ଉପରେ ଅଧିକ ବ୍ୟବସାୟିକ ଲଗାଇବାର ଚେତାବନୀ ବି ଦେଇ ସାରିଲେଣି। ଏହାବ୍ୟତୀତ ଅନେକ କାରଣ ରହିଛି ଯେଉଁଥିପାଇଁ ଆମେରିକା ସହ ମୁହାଁମୁହିଁ ହେବାକୁ ଚାହୁଁନି ଚୀନ। ଏହାରି ମଧ୍ୟରେ ଚୀନ ରୁଷ ଏବଂ ଭାରତ ଭଳି ଦେଶ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଆଗ୍ରହ ପ୍ରକାଶ କରୁଥିବା ବୈଦେଶିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

Tags: #India-ChinaRelations #AjitDoval #BorderConflict #India #China

LEAVE A REPLY

Please enter your comment!
Please enter your name here