ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ଦେଖିବାକୁ ମିଳୁଛି। ତେବେ ରବିବାରଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା କମିବାର ସମ୍ଭାବନା ରହିଛି। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ବର୍ଷା କମିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି। ଏନେଇ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ ଜିଲ୍ଲାର ରଣପୁରରେ ୧୦୮.୪ ମିଲିମିଟର, ଖୋର୍ଦ୍ଧାର ଜିଲ୍ଲାର ବେଗୁନିଆରେ ୮୪ ମିଲିମିଟର, ପିପିଲି, ଜଟଣୀ ଓ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏବେ ରାଜ୍ୟରେ ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଡିସେମ୍ବର ୨୩ ତାରିଖରେ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏଁ କମି ଶୀତ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପଟେ ସକ୍ରିୟ ଅବପାତଟି ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶ ଉପକୂଳରୁ ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୨ ତାରିଖ ଯାଏଁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହାସହ ଚାଷୀମାନଙ୍କୁ ଅମଳ କରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।
Tags: #Weather #Depression #Rainfall #Winter #MCBBSR #Odisha