ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ଯେଉଁ ଛାତ୍ରଛାତ୍ରୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ୍ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ଫେଲ ଘୋଷଣା କରିପାରିବେ। କିନ୍ତୁ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କୃତ କରାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକରେ ଏହି ନିୟମ ଲଗୁ ହେବ। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର।
ଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ ଯଦି ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର କୌଣସି ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୁଅନ୍ତି ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ ନାହିଁ। ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ମସ ମଧ୍ୟରେ ପୁଣି ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ଏହି ପରୀକ୍ଷାରେ ପାସ୍ କଲେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ। ଯଦି ଫେଲ ହୁଅନ୍ତି ତେବେ ସେମାନଙ୍କୁ ପୁଣି ଗୋଟିଏ ବର୍ଷ ସେହି ଶ୍ରେଣୀରେ ରହିବାକୁ ପଡ଼ିବ।
ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ କେମିତି ପାସ୍ କରିବେ ତାହା ଉପରେ ଶ୍ରେଣୀ ଶିକ୍ଷକ ବିଶେଷ ଧ୍ୟାନ ଦେବେ। ସେମାନଙ୍କୁ ଆବଶ୍ୟକ କୋଚିଂ ଯୋଗାଇବେ। ଶିକ୍ଷା ସମାପ୍ତ ନହେବା ଯାଏଁ ଛାତ୍ରଛାତ୍ରୀଙ୍କୁ ବହିଷ୍କୃତ କରାଯାଇପାରି ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ସମେତ କେନ୍ଦ୍ର ଦ୍ଵାରା ପରିଚାଳିତ ପ୍ରାୟ ୩ ହଜାର ସ୍କୁଲରେ କାର୍ଯ୍ୟକାରୀ ହେବ।
Tags: #SchoolEducation #Education #Exam #PassFailSystem