ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ଜାତୀୟ ଉପଭୋକ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ।
ଆଜି ଜାତୀୟ ଉପଭୋକ୍ତା ଦିବସ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ଦେବାସହ ନିଜେ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।
“ଦେଶର ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ୧୯୮୬ ମସିହାରେ ଆଜିର ଦିନରେ ପ୍ରଥମଥର ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ତେଣୁ ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନ। ଗ୍ରାହକଙ୍କ ସୁରକ୍ଷାକୁ ଆମେ ଅଧିକ ଗୁରୁତ୍ଵ ଦେଉଛୁ। ୨୦୧୯ରେ କେନ୍ଦ୍ର ସରକାର ଉପଭୋକ୍ତା ଆଇନର ରୂପରେଖ ବଦଳାଇଥିଲେ। ଏଥିରେ ଗ୍ରାହକଙ୍କ ପାଇଁ ବିଭିନ୍ନ ସୁବିଧା ଦିଆଯାଇଥିବାବେଳେ ଦୋଷୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଥିଲେ, “ଆମେ ଜୀବନରେ କେବେ ନା କେବେ ଠକେଇର ସାମ୍ନା କରିଥାଉ। ମୁଁ ୧୯୯୦ ଓ ୨୦୦୨ରେ ଦୁଇ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି। ଏହା ମଧ୍ୟରେ ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମତେ ଠକିଥିଲେ। ପଇସା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲା ବେଳକୁ ସଂସ୍ଥା ହିଁ ନଥିଲା। ୧୯୮୬ ଆଇନ ଅନୁସାରେ ଆବେଦନ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି।”
କାର୍ଯ୍ୟକ୍ରମରେ ଗ୍ରାହକଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ। ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସହିତ ସ୍ଵେଚ୍ଛାସେବୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମର ମିଳିତ ସହଯୋଗର ଆବଶ୍ୟକତା ଥିବା ସେ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟରେ ପୁଣିଥରେ ଚିଟଫଣ୍ଡ ଦୁର୍ନୀତି ଉପରୁ ପରଦା ହଟିଛି। ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଜମା କରିଥିବା ନିଜ ଟଙ୍କା ଫେରି ପାଇବାକୁ ଆଜି ମଧ୍ୟ ଅପେକ୍ଷାରେ ରହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଓ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
Tags: #NationalConsumerDay #CMMohanCharanMajhi #ConsumerRights #Odisha #India