ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ବକ୍ସିଂ ଡେ’ ଟେଷ୍ଟ। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ମ୍ୟାଚ ଜିତି ସିରିଜ୍ ହାତେଇବା ପାଇଁ ଟିମ୍ ଇଣ୍ଡିଆ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।
ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚରେ ଜିତିବା ପରେ ଦ୍ଵିତୀୟ ଓ ତୃତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ଥିବା ୨ଟି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇପଡ଼ିଛି। ଏହା ଟିମ୍ ପାଇଁ ଚିନ୍ତାର ବିଷୟ ପାଲଟିଛି।
ମ୍ୟାଚରେ ଭାରତୀୟ ଦଳରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିପାରେ। ଏହାସହ ଦୁଇଜଣ ସ୍ପିନରଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ସେହିପରି ପେସ ବୋଲରମାନେ ମେଲବର୍ଣ୍ଣ ପିଚ୍ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ସର୍ଟ ପିଚ୍ ଓ ବାଉନ୍ସର୍ ବଲକୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଅସ୍ତ୍ର କରିବାର ସମ୍ଭାବନା ରହିଛି।
ଅନ୍ୟପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ମେଲବର୍ଣ୍ଣରେ ସେମାନେ କଭଳି ପ୍ରଦର୍ଶନ କରିବେ, ତା’ ଉପରେ ବହୁତ କିଛି ନିର୍ଭର କରିବ। ସେହିପରି ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ୍, ରିଷବ ପନ୍ତ ଓ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।
ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ତେବେ ମେଲବୋର୍ଣ୍ଣରେ ପୂର୍ବରୁ ଥିବା ଭାରତର ଭଲ ରେକର୍ଡ ପ୍ରଶଂସକଙ୍କ ଆଶା ଉଜ୍ଜୀବିତ ରଖିଛି।
Tags: #Border-GavaskarTrophy #TestSeries #BoxingDayTest #IndiavsAustralia #Melbourne #BCCI #Sports