ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ
  • ରାଜ୍ୟ ବିଜେପି କାର୍ଯ୍ୟାଳୟରେ ‘ଅଟଳ ସମ୍ମାନ -୨୦୨୪’ କାର୍ଯ୍ୟକ୍ରମ
  • ‘ଅଟଳ ସମ୍ମାନ’ରେ ସମ୍ମାନିତ ହେଲେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ। ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ସାରା ଭାରତରେ ‘ସୁଶାସନ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ‘ଅଟଳ ସମ୍ମାନ -୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ସୁଶାସନ ଦିବସ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବିମ୍ବାଧର କୁଅଁରଙ୍କୁ ନବମ ‘ଅଟଳ ସମ୍ମାନ -୨୦୨୪’ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶିଷ୍ଟ କବୟିତ୍ରୀ କାନନବାଳା ପଟ୍ଟନାୟକଙ୍କୁ ‘ଅଟଳ କବିତା ସମ୍ମାନ’, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ‘ଅଟଳ ସାମ୍ବାଦିକ ସମ୍ମାନ’ ଏବଂ ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ମହାପାତ୍ରଙ୍କୁ ‘ଅଟଳ ସେବା ସମ୍ମାନ -୨୦୨୪’ରେ ସମ୍ମାନିତ କରାଯାଇଛି।

“ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆମ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ ରହିବେ। ନିଜର ବ୍ୟକ୍ତିତ୍ୱ ବଳରେ ବିରୋଧୀଙ୍କୁ ଆକର୍ଷିତ କରିପାରୁଥିଲେ ଅଟଳଜୀ। ଏନ୍‌ଡିଏ ମେଣ୍ଟ ଗଠନ କରି ସୁଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ। ସେଥିପାଇଁ ଅଟଳଜୀଙ୍କୁ ଅଜାତଶତୃ ବୋଲି କୁହାଯାଉଥିଲା। ତାଙ୍କ ନୀତି ଓ ଆଦର୍ଶକୁ ଆଧାର କରି ଆଜି ବିଜେପି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଛିଡ଼ା ହୋଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ଅଟଳ ବିହାରୀ ବାଜପେୟୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ତାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଶାରେ ପରବର୍ତ୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମାଞ୍ଚଳର ଚେହେରା ବଦଳାଇବାରେ ସେ ଅନେକ ପଦକ୍ଷେପମାନ ନେଇଥିଲେ”, କହିଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ।

ଅଟଳଜୀଙ୍କ ଜନ୍ମ ଶତବାର୍ଷିକକୁ ବର୍ଷସାରା ପାଳନ କରାଯିବ। ବୁଥ୍‌ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଏବଂ ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନମୋହନ ସାମଲ ଏହି ଅବସରରେ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମ ଅବସରରେ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନର ଆୟୋଜନ କରାଯାଇଥିଲା। ଏହାସହ ଅଟଳଜୀଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ପିଙ୍କି ପ୍ରଧାନ ଓ ପଞ୍ଚାନନ ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Tags: #AtalSamman2024 #AtalBihariVajpayee #FormerPrimeminister #BJP #Odisha

LEAVE A REPLY

Please enter your comment!
Please enter your name here