ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଟା କମ୍ପାନି ନିଯୁକ୍ତି ଠକେଇ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ। ବ୍ରହ୍ମପୁର ଜେଏମଏଫସି କୋର୍ଟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସମସ୍ତ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ମଙ୍ଗଳବାର ଦିନ ଟାଟା କମ୍ପାନିରେ ନିଯୁକ୍ତି ଦେବା ନାଁରେ ଠକେଇ ସମ୍ପର୍କିତ ଦୁଇଟି ମାମଲାରେ ବ୍ରହ୍ମପୁର ଜେଏମଏଫସି କୋର୍ଟ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଦୋଷମକ୍ତ କରିଥିବାବେଳେ ଆଜି, ବୁଧବାର ଦିନ ଆଉ ତିନିଟି ମାମଲର ଶୁଣାଣି କରି ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ସହ ମଙ୍ଗଳବାର ଦିନ ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜେଏମଏଫସି କୋର୍ଟ।

ଦୋଷମୁକ୍ତ ହେବା ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜନୈତିକ ଉଦ୍ଦେଶ୍ୟ ରଖି ମୋତେ ମିଛ କେସରେ ଫସାଇ ଦିଆଯାଇଥିଲା। କିନ୍ତୁ ମୋର ଆଇନ ଉପରେ ପୂରା ଭରସା ଥିଲା। ଯୁଗେ ଯୁଗେ ଧର୍ମର ଜୟ ହୋଇଆସୁଛି, ଆସି ମଧ୍ୟ ସେୟା ହେଲା। କୋର୍ଟଙ୍କ ରାୟ ପରେ ବର୍ତ୍ତମାନ ମୁଁ ଓ ମୋ ପରିବାର ଆଶ୍ଵସ୍ତି ଅନୁଭବ କରୁଛୁ। ହେଲେ ରାଜନୈତିକ ଲଢ଼େଇ ଏତେ ତଳସ୍ତରକୁ ଯିବା କଥା ନୁହେଁ।”

ଟାଟା କମ୍ପାନିରେ ନିଯୁକ୍ତି ଦେବା ନାଁରେ ଠକେଇ କରିବା ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାମଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ପରେ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା।

ତଦନ୍ତ ପାଇଁ ଗତ ୨୦୨୦ ମସିହା ନଭେମ୍ବର ମାସରେ ବ୍ରହ୍ମପୁରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଏହା ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ଚାରିଟି ମାମଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବାବେଳେ ବୈଦ୍ୟନାଥ ପୁରଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା।

ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରିବା ସହ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ କୌଣସି ଅର୍ଥ ଦେଣ ନେଣ ହୋଇ ନଥିବା କୋର୍ଟଙ୍କୁ କହିଥିଲେ।

Tags: #MPPradeepKumarPanigrahi #BrahmapurJMFCCourt #TataMotorsCase #Politician #Odisha

LEAVE A REPLY

Please enter your comment!
Please enter your name here