ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ ଅନ୍ୟପଟେ ରାଧାକୃଷ୍ଣଙ୍କ ଲୀଳାରେ ଦର୍ଶକ ବିମୋହିତ ହେଉଛନ୍ତି। ଏକ ଅନନ୍ୟ ପରିବେଶ ଭିତରେ ଉତଫୁଲ୍ଲିତ ହେଉଛି ବରଗଡ଼ ସହର।
ବରଗଡ଼ ଧନୁଯାତ୍ରା ଗୁରୁବାର ସପ୍ତମ ଦିନରେ ପହଞ୍ଚିଛି। ମଥୁରାପତି ମହାରାଜ କଂସ କୃଷ୍ଣଙ୍କୁ ମାରିବା ପାଇଁ ଧନୁଯାତ୍ରା ଆୟୋଜନ କରିଛନ୍ତି। କୃଷ୍ଣ ବଳରାମଙ୍କୁ ମଥୁରା ନିମନ୍ତ୍ରଣ କରିବା ପାଇଁ କଂସ ପୂର୍ବତନ ମନ୍ତ୍ରୀ ଅକ୍ରୂରଙ୍କୁ ଗୋପପୁର ପ୍ରେରଣ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଗୋପପୁରରେ ରାଧାକୃଷ୍ଣଙ୍କ ଯମୁନାରେ ନାବକେଳୀ ସମସ୍ତଙ୍କ ମନ ମୋହିଥିଲା।
କୃଷ୍ଣମୟ ହୋଇ ଉଠିଛି ସାରା ଗୋପପୁର। କୃଷ୍ଣ ଓ ରାଧାଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଚାଲିଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଅନୁଷ୍ଠିତ ହୋଇଥିଲା ନାବକେଳୀ। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ଯମୁନା ଅଭିମୁଖେ ବାହାରିଛନ୍ତି। ବାଟରେ ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ରାଧାକୃଷ୍ଣଙ୍କୁ ସ୍ଵାଗତ କରିବାର ଦୃଶ୍ୟ ଦେଖିବାକୁ ମିଳିଛି।
ବରଗଡ଼ର ମନାବନ୍ଧଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଧା-କୃଷ୍ଣଙ୍କ ନୌକାବିହାର ଦୃଶ୍ୟ ଦ୍ୱାପର ଯୁଗର କୃଷ୍ଣ ଲୀଳାକୁ ମନେ ପକାଇଦେଇଥିଲା। ଏହା ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। କୃଷ୍ଣଙ୍କ ପ୍ରେମରେ ଦର୍ଶକ ଭିଜିଥିଲେ।
ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଗୋପପୁରରେ କୃଷ୍ଣ-ବଳରାମଙ୍କର ଏକ ଅପୂର୍ବ ଲୀଳା ଦେଖିବାକୁ ମିଳିଥିଲା। ଗୋପଦାଣ୍ଡରେ ଆୟୋଜିତ ଲବଣିଖିଆ କାର୍ଯ୍ୟକ୍ରମ ବେଶ୍ ମନୋରମ ହୋଇଥିଲା। ଗୋପୀମାନେ ଦଧି ମନ୍ଥନ କରୁଥିଲେ। ଏହି ସମୟରେ ଗୋପ ବାଳକମାନଙ୍କ ସହିତ କୃଷ୍ଣ-ବଳରାମ ଆସି ହାଣ୍ଡିରୁ ଲବଣୀ ଖାଇଥିଲେ। ଏହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା।
ଅନ୍ୟପଟେ ମହାରାଜା କଂସ ବିଜୁଳୀ କନ୍ୟାର ଦୈବବାଣୀ ନେଇ ବିବ୍ରତ ଥିବାସହ ନିଜକୁ ନୃତ୍ୟଗୀତରେ ମସଗୁଲ୍ ରଖି ଚିନ୍ତାମୁକ୍ତ କରିବାର ପ୍ରୟାସ ଜାରି ରଖିଥିଲେ। ଧନୁଯାତ୍ରାର ସପ୍ତମ ଦିବସରେ ରାଜଦରବାର ଏବଂ ରଙ୍ଗମହଲରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।
ବରଗଡ଼ ଧନୁଯାତ୍ରାର ମହାନାୟକ ମହାରାଜ କଂସଙ୍କ ନିମନ୍ତ୍ରଣରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜଅତିଥି ଭାବେ ଯୋଗ ଦେଉଛନ୍ତି। ଏହି ଆଧାରରେ ଧନୁଯାତ୍ରା ମହୋତ୍ସବର ସପ୍ତମ ଦିନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ରାଜଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜ କଂସ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Tags: #BargarhDhanuJatra #MaharajKansa #SriKrishna #Culture #OdishaGovt #Bargarh