ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ମାର୍ଚ୍ଚ ୯ ତାରିଖ ରବିବାର ଦୁବାଇରେ ହେବ ଉଭୟ ଦଳଙ୍କ ମଧ୍ୟରେ ମହାମୁକାବିଲା। ଦୁଇ ଦଳ ଦମଦାର ପ୍ରଦର୍ଶନ ସହ ଫାଇନାଲକୁ ପ୍ରବେଶ କରିଥିବାବେଳେ ଏହି ମେଗା ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପ୍ରଥମ ସେମିଫାଇନାଲରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ବିରାଟ କୋହଲୀଙ୍କ ଦମଦାର ଇନିଂସ୍ ଦର୍ଶକଙ୍କ ମନମୁଗ୍ଧ କରିଥିଲା।  

ସେହିପରି ବୁଧବାର ଲାହୋରରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା, ଯାହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ସ୍କୋର। ରଚିନ ରବୀନ୍ଦ୍ର ଓ କେନ୍‌ ୱିଲିୟମସନଙ୍କ ଶତକ ବଳରେ ଏପରି ବିଶାଳ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ ମିଲରଙ୍କ ଅପରାଜିତ ୧୦୦ ରନ୍‌ ସତ୍ତ୍ବେ ୯ ୱିକେଟ ହରାଇ ୩୧୨ ରନ କରି ପରାଜୟର ସାମ୍ନା କରିଥିଲା।

ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ୨୫ ବର୍ଷ ପୂର୍ବେ ମଧ୍ୟ ଏହି ଦୁଇ ଦଳ ଫାଇନାଲରେ ଟକ୍କର ଦେଇଥିଲେ।

୨୦୦୦ରେ କେନିୟାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫି ଦ୍ବିତୀୟ ସଂସ୍କରଣ ଫାଇନାଲରେ ଏହି ଦୁଇ ଦଳ ପହଞ୍ଚିଥିଲେ। ଫାଇନାଲରେ ନ୍ୟୁଜିଲାଣ୍ଡ ୪ ୱିକେଟ​‌​‌ରେ ଭାରତକୁ ପରାସ୍ତକରି ପ୍ରଥମଥର ଚାମ୍ପିୟନ ହୋଇଥିଲା। ଭାରତ ଏବେ ସେହି ୨୫ ବର୍ଷର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ତେବେ ଭାରତ ୪ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଖେଳି ଦୁଇଥର ଚାମ୍ପିୟନ ଓ ଦୁଇଥର ରନର୍ସଅପ ହୋଇସାରିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ଦୁଇ ଥର ଫାଇନାଲ ଖେଳି ଥରେ ଚାମ୍ପିୟନ ଓ ଥରେ ରନର୍ସଅପ ହୋଇଛି।

Tags: #ICCChampionsTrophy #INDvsNZ #Final #Dubai #ICC #Sports

LEAVE A REPLY

Please enter your comment!
Please enter your name here