ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫେରା ରାଇଜରେ ‘ଶ୍ରୀରାଧା’ର ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ। ସେ ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିରଦିନ ପାଇଁ ଅମର ହୋଇ ରହିବେ।
ଘରେ ଘରେ ପରିଚିତ ଥିଲେ ରମାକାନ୍ତ
ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଆଧୁନିକ କବି ହେଉଛନ୍ତି ପଦ୍ମଭୂଷଣ ରମାକାନ୍ତ ରଥ। ତାଙ୍କ ରଚିତ କବିତା ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’ ଏବଂ ‘ଶ୍ରୀରାଧା’ ଆଦି ପାଇଁ ସେ ଘରେ ଘରେ ବେଶ ପରିଚିତ ଥିଲେ।
ତାଙ୍କ ଲିଖିତ ‘ଶ୍ରୀରାଧା’ କବିତା ଓଡ଼ିଆ, ଇଂରାଜୀ ଭାଷା ସହ ମୋଟ ନଅଟି ଭାରତୀୟ ଭାଷାରେ ରହିଛି। କବି ରମାକାନ୍ତ ରଥ ନିଜେ ‘ଶ୍ରୀରାଧା’ର ଇଂରାଜୀ ଅନୁବାଦ କରିଛନ୍ତି। ଏହି କବିତାରେ, ରାଧାଙ୍କୁ କବି କୃଷ୍ଣଙ୍କ ପ୍ରେମିକା ଭାବେ ବର୍ଣ୍ଣନା କରିବା ସହ ଜଣେ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଲିଖିତ କବିତାଗୁଡ଼ିକ ମଧ୍ୟରେ ‘ଶ୍ରୀରାଧା’ ସର୍ବୋତ୍ତମ କୃତି ବୋଲି ବିବେଚନା କରାଯାଏ। ୧୯୯୨ ମସିହାରେ ‘ଶ୍ରୀରାଧା’ କବିତା ପାଇଁ ତାଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ତାଙ୍କ ରଚିତ ସମସ୍ତ କବିତା ପାଠକୀୟଙ୍କମାନଙ୍କର ବେଶ ଶ୍ରଦ୍ଧା ଲାଭ କରିଛି।
କେମିତି ବଦଳିଥିଲା ରମାକାନ୍ତଙ୍କ ପରିଚୟ ?
ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ପାର୍ବତୀ ଦେବୀ ଓ ଲୋକନାଥ ମହାପାତ୍ରଙ୍କ ପୁଅ। ଅଜା ବିଶ୍ଵନାଥ ରଥ ତାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବାରୁ ତାଙ୍କ ନାଁ ପରବର୍ତ୍ତୀ ସମୟରେ ‘ରମାକାନ୍ତ ମହାପାତ୍ର’ରୁ ‘ରମାକାନ୍ତ ରଥ’ କୁ ପରିବର୍ତ୍ତନ ହୋଇଥିଲା। ଏହା ପରଠୁଁ ସେ ରମାକାନ୍ତ ରଥ ଭାବେ ପରିଚିତି ହୋଇଥିଲେ।
ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଦାମୋଦରପୁର ଶାସନରେ ତାଙ୍କର ପିଲାଦିନ କଟିଥିଲା। ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲାରେ ପାଠ ପଢ଼ିଥିଲେ। ପରେ ବାପା ଲୋକନାଥ ମହାପାତ୍ରଙ୍କ ଚାକିରୀ କଳାହାଣ୍ଡି ଜିଲ୍ଲାକୁ ବଦଳି ହେବା କାରଣରୁ ସେଠାରେ ସେ ଉଚ୍ଚ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହା ପରେ ବଲାଙ୍ଗୀରରେ ସେ ମାଟ୍ରିକ ପାଠ ଶେଷ କରିଥିଲେ।
ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ପୁଣି ପୁରୀ ଜିଲ୍ଲାକୁ ଫେରି ଆସିଥିଲେ। ପୁରୀ କଲେଜରେ ଯୁକ୍ତ ଦୁଇ ସମାପ୍ତ କରିବା ପରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପଢ଼ିଥିଲେ। ସେଠାରୁ ସେ ଇଂରାଜୀରେ ଏମଏ ପାସ ପରେ ୧୯୫୭ ମସିହାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରିରେ ଯୋଗ ଦେଇଥିଲେ।
ରମାକାନ୍ତ ରଥ ଶାନ୍ତି ଦେବୀଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ଝିଅ ଓ ଜଣେ ପୁଅ ଅଛନ୍ତି।
କୃତିତ୍ୱ ଏବଂ ସମ୍ମାନ
ପଦ୍ମଭୂଷଣ ରମାକାନ୍ତ ରଥ ହେଉଛନ୍ତି ଏକମାତ୍ର ଓଡ଼ିଆ, ଯିଏ କି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ୧୯୭୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
ସେହିପରି ୧୯୮୪ରେ ସାରଳା ପୁରସ୍କାର, ୧୯୯୨ରେ ସରସ୍ୱତୀ ସମ୍ମାନ, ୧୯୯୪ରେ କବୀର ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ୨୦୧୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ।
ସାହିତ୍ୟ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ୨୦୦୬ ମସିହାରେ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ପରେ ୨୦୦୯ ମସିହାରେ ଫେଲୋସିପ୍ ସମ୍ମାନରେ ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ।
ରମାକାନ୍ତ ରଥଙ୍କ ପ୍ରଶାସନିକ ଜୀବନ
ରମାକାନ୍ତ ରଥ ଜଣେ ବିଶିଷ୍ଟ କବି ହେବା ସହ, ଜଣେ ଦକ୍ଷ ପ୍ରଶାସକ ମଧ୍ୟ ଥିଲେ। ସେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର ପ୍ରଶାସନିକ କାର୍ଯ୍ୟଦକ୍ଷତା ଯୋଗୁଁ ବିଭିନ୍ନ ଉଚ୍ଚ ପଦବୀରେ ତାଙ୍କୁ ଦାଇତ୍ୱ ମିଲିଥିଲା।
୧୯୯୧ ଅଗଷ୍ଟ ମାସରୁ ୧୯୯୨ ନଭେମ୍ବର ମାସ ଯାଏଁ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ସେ ସରକାରୀ ଚାକିରିରୁ ଅବସର ନେଇଥିଲେ।
ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ଲେଖନୀ ସକ୍ରିୟ ଥିଲା। ସେ ଅନ୍ୟ ଭାଷାର ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିବା ବେଳେ ତାଙ୍କ କବିତା ଇଂରାଜୀ ଏବଂ ବିଭିନ୍ନ ଭାଷାରେ ଅନୁଦିତ ହୋଇ ଲୋକପ୍ରିୟ ହୋଇଛି।
Tags: #RamakantaRath #Biography #Poet #OdiaLiterature #IAS #Odisha