ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର। ମଙ୍ଗଳବାର ଦିନ ପୁରୀର ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଶେଷକୃତ୍ୟ।

ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଦେବେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ ମୁଖ୍ୟାଳୟକୁ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଥିଲେ।

ବିଜେପି ମୁଖ୍ୟାଳୟରେ ଅନ୍ତିମ ଦର୍ଶନ ସରିବା ପରେ ପାର୍ଥିବ ଶରୀରକୁ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନକୁ ଅଣାଯାଇଥିଲା। ସେଠାରେ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ଵରରୁ ପୁରୀ ନିଆଯାଇଥିଲା।

ପୁରୀରେ ପାର୍ଥିବ ଶରୀର ପହଞ୍ଚିବା ପରେ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ପରିବାର, ବନ୍ଧୁ ପରିଜନ, ମନ୍ତ୍ରୀ, ନେତା ଏବଂ ସାଧାରଣ ଜନତା। ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସଂସ୍କାର କାର୍ଯ୍ୟରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ସମସ୍ତେ।

ଡାକ୍ତର ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତର ଦେବେନ୍ଦ୍ର ପ୍ରଧାନ ତିନି ଥର ବିଜେପି ରାଜ୍ୟ ସଭାପତି ଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରେ କେନ୍ଦ୍ର ସଡ଼କ ପରିବହନ ଓ କୃଷି ମନ୍ତ୍ରୀ ଥିଲେ। ସେ ବିଜେପିରୁ ଦୁଇଥର ସଂସଦକୁ ନିର୍ବାଚିତ ହୋଇଥିଲେ।

ଦେବେନ୍ଦ୍ର ପ୍ରଧାନ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ୨୦୦୧ରୁ ୨୦୦୨ ଯାଏଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ।

୧୯୯୮ରେ ସେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୬ ମସିହାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ ପାସ କରିଥିଲେ। ଦେବେନ୍ଦ୍ର ପ୍ରଧାନ ପେସାରେ ଡାକ୍ତର ଥିଲେ। ତେବେ ୧୯୭୩ ମସିହାରେ ସେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Tags: #DebendraPradhan #FormerUnionMinister #Politician #Death #Odisha

LEAVE A REPLY

Please enter your comment!
Please enter your name here