ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉଛି ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଶକ୍ତି ପରୀକ୍ଷା। ଏଣୁ ରାଜ୍ୟସଭାରେ ଦମ୍ ଦେଖାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଦଳ।
୨୦୧୯ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଏକାଠି ହେଉଛନ୍ତି ବିରୋଧୀ ଦଳ। ଏହାର ପ୍ରମାଣ ଦେଖିବାକୁ ମିଳିଥିଲା କର୍ଣ୍ଣାଟକରେ। ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଦିନ ହିଁ ମୋଦି ବିରୋଧୀ ଶକ୍ତି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହାପରେ ଚର୍ଚ୍ଚା ହୋଇଥିଲା ଯେ ମୋଦିଙ୍କ ବିରୋଧରେ ହାତ ମିଳାଉଛନ୍ତି ବିରୋଧୀ।
ଏହି ବିରୋଧୀ ଦଳର ସ୍ଥିତି କ’ଣ ହେବ ତାହା ଆସନ୍ତକାଲି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିବ। ମୋଦିଙ୍କୁ କିଏ ବିରୋଧ କରୁଛନ୍ତି ଏବଂ କିଏ ସମର୍ଥନ କରୁଛନ୍ତି ତାହା ୨୦୧୯ ପୂର୍ବରୁ ସ୍ପଷ୍ଟ ହୋଇଯିବ। ତାଛଡ଼ା ମିଳିତ ବିରୋଧୀ ଦଳର ଦମ୍ ମଧ୍ୟ ଜଣାପଡ଼ିଯିବ।
ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ବି କେ ହରିପ୍ରସାଦଙ୍କୁ ମଇଦାନକୁ ଓହ୍ଲାଇଛି। ଫଳରେ ହରିବଂଶ ଏବଂ ହରିପ୍ରସାଦଙ୍କ ଭିତରେ ଜୋରଦାର ଟକ୍କର ହେବା ସ୍ପଷ୍ଟ ହୋଇଛି। ହେଲେ ଉଭୟ ଦଳ ପାଖରେ ନାହିଁ ସଂଖ୍ୟା ଗରିଷ୍ଠତା। ଏଣୁ ଆଞ୍ଚଳିକ ଦଳ ଉପରେ ଫୋକସ୍ କରୁଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ।
ବିଜେପି ବିଭିନ୍ନ ଦଳ ସହ ଯୋଗସୂତ୍ର ରକ୍ଷା କରୁଥିବା ବେଳେ କଂଗ୍ରେସ ମୋଦି ବିରୋଧୀ ଦଳମାନଙ୍କୁ ଏକାଠି କରୁଛି। ତେବେ କିଏ କାହା ପଟକୁ ଢ଼ଳିବ ତାହା ଆସନ୍ତା କାଲି ହିଁ ସ୍ପଷ୍ଟ ହୋଇଯିବ।
୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବର୍ତ୍ତମାନ ୨୪୪ ଜଣ ସଦସ୍ୟ ଅଛନ୍ତି। ଗୋଟିଏ ମାତ୍ର ସିଟ୍ ଖାଲିପଡ଼ିଛି। ଉପାଧ୍ୟକ୍ଷ ପଦ ହାତେଇବାକୁ ହେଲେ ୧୨୩ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏପରିସ୍ଥଳେ ଉପା କି ଏନଡିଏ ପାଖରେ ନାହିଁ ୧୨୩ ସାଂସଦଙ୍କ ସମର୍ଥନ।
ରାଜ୍ୟସଭାରେ ଏନଡିଏର ସଦସ୍ୟ ସଂଖ୍ୟା ହେଉଛି ୧୦୦। ସେଥିମଧ୍ୟରୁ ବିଜେପି ୭୩, ଶିବସେନା ୩, ବୋଡୋ ପିପୁଲ୍ସ ଫ୍ରଣ୍ଟସ୍ ୧, ଜେଡି(ୟୁ)ର ୬, ଆର୍ପିଆଇ (ଏ) ୧, ସିରୋମଣି ଅକାଳି ଦଳ ୩, ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ୧, ମନୋନିତ ସଦସ୍ୟ ୪, ଅନ୍ୟ ଦଳର ୩ ଏବଂ ସ୍ୱାଧୀନ ସଭ୍ୟ ୬ ଜଣଙ୍କର ସମର୍ଥନ ରହିଛି।
ସେହିପରି ରାଜ୍ୟସଭାର ସବୁ ବିରୋଧୀ ଦଳର ସଂଖ୍ୟା ୧୪୪ ବୋଲି କୁହାଯାଉଛି। ସେଥିମଧ୍ୟରୁ କଂଗ୍ରେସର ୫୦ ଥିବା ବେଳେ ବିଏସ୍ପି ୪, ଟିଏମ୍ସି ୧୩, ସିପିଆଇ ୨, ସିପିଏମ୍ ୫, ଡିଏମ୍କେ ୪, ଇଣ୍ଡିଆନ୍ ମୁସଲିମ୍ ଲିଗ୍ ୧, କେରଳ କଂଗ୍ରେସ ୧, ଏନ୍ସିପି ୪, ଆର୍ଜେଡି ୫, ସମାଜବାଦୀ ପାର୍ଟି ୧୩, ଟିଡିପିର ୬, ଏଆଇଏଡିଏମ୍କେ ୧୩, ବିଜେଡି ୯, ଲୋକଦଳ ୧, ପିଡିପି ୨, ଟିଆର୍ଏସ୍ ୬, ୱାଇଏସ୍ଆର୍ କଂଗ୍ରେସ ୨, ଆପ୍ର ୩ ଜଣ ସଦସ୍ୟ ଅଛନ୍ତି।
ଏହି ବିରୋଧୀ ଦଳ ଭିତରୁ କେତେ ଜଣ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ସ୍ପଷ୍ଟ ହୋଇନାହିଁ।
କର୍ଣ୍ଣାଟକରେ ଗୋଟିଏ ପ୍ଲାଟଫର୍ମରେ କଂଗ୍ରେସ ସମେତ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆର୍ଜେଡି, ଆପ୍, ଡିଏମ୍କେ, ଟିଏମ୍ସି, ଟିଡିପି, ଏନ୍ସିପି ଭଳି ଦଳ ଏକାଠି ହୋଇଥିଲେ। ତେବେ କଂଗ୍ରେସ କୌଣସି ଦଳ ସହ ଆଲୋଚନା ନକରି ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଥିବାରୁ ବିରୋଧୀମାନେ ସମର୍ଥନ କରି ନାପରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦିଓ ସେମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ, ଏଣୁ ସେମାନେ ମତଦାନ ବେଳେ ଅନୁପସ୍ଥିତ ରହିପାରନ୍ତି ବୋଲି ଆଲୋଚନା ହେଉଛି।