ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ରାଜଭବନ ସମ୍ମୁଖରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି।
ଏହି ପ୍ରତିବାଦ ସଭାରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତୈଳ ଓ ଗ୍ୟାସ ଦର ହ୍ରାସ କରିବାକୁ ଦାବି କରିଥିଲେ।
ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି, “କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ। ଦିନକୁ ଦିନ ତୈଳ ଦର ବୃଦ୍ଧି ପାଉଛି। ହେଲେ ଏହାକୁ ହ୍ରାସ କରିବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ତୈଳ ଦର ହ୍ରାସ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ।”
ଏହି ଅବସରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ରାଜ୍ୟାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।
କିଛିଦିନ ତଳେ ବିଜେଡି ଜିଲ୍ଲା ଓ ବ୍ଲକ ସ୍ତରରେ ପେଟ୍ରୋଲ ଟାଙ୍କି ସମ୍ମୁଖରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲା। ଲୋକଙ୍କୁ ଲିପ୍ଲେଟ୍ ବାଣ୍ଟି ସଚେତନ କରିଥିଲା ଦଳ।